ଦୈନିକ ସଂକ୍ରମଣରେ ରେକର୍ଡ କଲା ଆମେରିକା, ଗୋଟିଏ ଦିନରେ ୧୧ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ…

ଓ୍ବାଶିଂଟନ, ୧୧।୧ : ଆମେରିକାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ନୂତନ ବିଶ୍ୱ ରେକର୍ଡ ସ୍ତରରେ ପହଞ୍ଚିଛି। ସୋମବାର ଦେଶରେ ୧୧ ଲକ୍ଷରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ ହୋଇଛି। ଏହାପୂର୍ବରୁ ଜାନୁୟାରୀ ୩ ରେ, ଆମେରିକାରେ ଗୋଟିଏ ଦିନରେ ୧୦ ଲକ୍ଷରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା।

ଆମେରିକାରେ ଡାକ୍ତରଖାନାରେ ଭର୍ତ୍ତି ହେବା ସଂଖ୍ୟା ଇତିମଧ୍ୟରେ ପୂର୍ବର ରେକର୍ଡ ଭାଙ୍ଗିଛି। ଗତ ବର୍ଷ ଜାନୁଆରୀରେ ୧,୩୨,୦୫୧ ତୁଳନାରେ ଗତ ତିନି ସପ୍ତାହ ମଧ୍ୟରେ ଏହି ସଂଖ୍ୟା ଏକ ରେକର୍ଡ ସ୍ତରରେ ପହଞ୍ଚିଛି। ଜନ ହପକିନ୍ସ ୟୁନିଭରସିଟିର ତଥ୍ୟ ଅନୁଯାୟୀ ରବିବାର ଆମେରିକାରେ ମୋଟ କୋଭିଡ-୧୯ ମାମଲା ୬ କୋଟି ଛୁଇଁଛି। ଜାନୁୟାରୀ ୨୦୨୦ ଠାରୁ ଦେଶରେ ୮,୩୭,୫୯୪ ଜଣଙ୍କ ମୃତ୍ୟୁ ଘଟିଛି।

ଅତ୍ୟଧିକ ସଂକ୍ରାମକ ଓମିକ୍ରନ ଭାରିଆଣ୍ଟ୍‌ ଯୋଗୁ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି। ତେଣୁ ଆମେରିକାର ବହୁ ଡାକ୍ତରଖାନାରେ ଅନ୍ୟ ରୋଗୀଙ୍କ ପାଇଁ ଅସ୍ତ୍ରୋପଚାର ବନ୍ଦ ରହିଛି। ପରିସଂଖ୍ୟାନ ଅନୁଯାୟୀ, ଆମେରିକାରେ ପ୍ରତିଦିନ ପ୍ରତି ୧୦ଲକ୍ଷ ଲୋକଙ୍କ ମଧ୍ୟରୁ ପ୍ରାୟ ୨,୧୩୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ବ୍ରିଟେନ୍‌ରେ ମହାମାରୀ ସ୍ଥିତି ସଙ୍କଟ ଜନକ ରହିଛି। ଅପରପକ୍ଷରେ, ଫ୍ରାନ୍ସରେ କୋଭିଡ -୧୯ ମାମଲାରେ ଚିନ୍ତାଜନକ ବୃଦ୍ଧି ଘଟିଛି। ସେଠାରେ ଅବସ୍ଥା ବ୍ରିଟେନ ପରି ହେବାରେ ଲାଗିଛି। ଗତ ସାତ ଦିନର ହାରାହାରୀ ରିପୋର୍ଟ ଅନୁଯାୟୀ, ଫ୍ରାନ୍ସରେ ପ୍ରତି ୧୦ଲକ୍ଷ ଲୋକଙ୍କ ମଧ୍ୟରୁ ଦୈନିକ ୪,୦୦୦ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି।

Share