ଶିଖ କର୍ମୀଙ୍କୁ ଦାଢି ରଖିବାକୁ ବାରଣ କରିଥିଲା ପୋଲିସ, ବାଇଡେନ ସରକାର ସାମ୍ନାରେ ଅସନ୍ତୋଷ ବ୍ୟକ୍ତ କଲା ଭାରତୀୟ ଦୂତାବାସ

ଓ୍ବାଶିଂଟନ,୧୧।୮: ଆମେରିକାର ନ୍ୟୁୟର୍କରେ ଜଣେ ଶିଖ ପୋଲିସ ଦାଢି ରଖିବାକୁ ବାରଣ କରିବା ପରେ ବିବାଦ ଲାଗି ରହିଛି। ଯାହା ଉପରେ ୱାଶିଂଟନରେ ଥିବା ଭାରତୀୟ ଦୂତାବାସ ଆପତ୍ତି ଉଠାଇଛି। ଆମେରିକାର ସାଂସଦମାନେ ମଧ୍ୟ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଏବଂ ଏହାକୁ ଧାର୍ମିକ ଭେଦଭାବ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ ନ୍ୟୁୟର୍କ ପୋଲିସ ବିଭାଗର ଜଣେ କର୍ମଚାରୀ ଚରଣଜୋତ ତିୱାନା ଗତ ବର୍ଷ ମାର୍ଚ୍ଚରେ ତାଙ୍କ ବିବାହ ପାଇଁ ଦାଢି ବଢାଇବାକୁ ଦାବି କରିଥିଲେ। ତେବେ ଗ୍ୟାସ ମାସ୍କ ପିନ୍ଧିଥିବା ବେଳେ ଦାଢି ବଢାଇବା ତାଙ୍କ ସୁରକ୍ଷାକୁ କ୍ଷତି ପହଞ୍ଚାଇପାରେ ବୋଲି କହି ବିଭାଗ ତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛି।

ଏହା ଉପରେ ଭାରତୀୟ ଦୂତାବାସର ଅଧିକାରୀମାନେ ନ୍ୟୁୟର୍କ ଷ୍ଟେଟ ଗଭର୍ନରଙ୍କ ସହ ଆଲୋଚନା କରିଥିଲେ। ଏଥି ସହିତ ଭାରତୀୟ ରାଷ୍ଟ୍ରଦୂତ ତାରନଜିତ ସିଂ ସଂନ୍ଧୁ ବାଇଡେନ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ମାମଲା ବଢିବା ସହ ନ୍ୟୁୟର୍କ ରାଜ୍ୟ ପୋଲିସ ଏବଂ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଏକ ବୟାନ ଜାରି କରି କହିଛି ଯେ ସେମାନେ ଏହି ପ୍ରସଙ୍ଗରେ କାର୍ଯ୍ୟ କରୁଛନ୍ତି। ଏଥି ସହିତ ନ୍ୟୁୟର୍କ ଆସେମ୍ଲିର ସଦସ୍ୟ ଡେଭିଡ ୱେପ୍ରିନ ପୋଲିସ ବିଭାଗ ଦ୍ୱାରା ଚରଣଜିତ ତିୱାନାଙ୍କ ଦାବିକୁ ଗ୍ରହଣ ନ କରିବା ନେଇ ଉଦବେଗ ପ୍ରକାଶ କରିଥିଲେ ଏବଂ ଏହାକୁ ଧାର୍ମିକ ଭେଦଭାବ ବୋଲି କହିଥିଲେ।

Share