ଭାରତ ସହିତ ବିବାଦ ମଧ୍ୟରେ କାନାଡାକୁ ମିଳିଲା ଆମେରିକା ସମର୍ଥନ

ଓ୍ବାଶିଂଟନ୍‌,୨୨।୯: ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ଦିନକୁ ଦିନ ଗଭୀର ହେବାରେ ଲାଗିଛି। ବର୍ତ୍ତମାନ ଆମେରିକା ମଧ୍ୟ ପରୋକ୍ଷରେ କାନାଡାକୁ ଦୃଢ ଭାବରେ ସମର୍ଥନ କରିଛି। ଏହି ସମୟରେ ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା ବିବାଦରେ ଆମେରିକା-କାନାଡା ସମ୍ପର୍କରେ ମତଭେଦ ଦେଖାଯାଇଥିବା ଅଭିଯୋଗକୁ ଆମେରିକା ପ୍ରତ୍ୟାଖ୍ୟାନ କରିଛି। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ ସୁଲିଭନ କହିଛନ୍ତି, ମୁଁ ଏହି ଧାରଣାକୁ ଦୃଢ ଭାବରେ ପ୍ରତ୍ୟାଖ୍ୟାନ କରୁଛି କି ଆମେରିକା ଏବଂ କାନାଡା ମଧ୍ୟରେ କୌଣସି ମତଭେଦ ଅଛି। ଏହି ଅଭିଯୋଗକୁ ନେଇ ଆମେ ଚିନ୍ତିତ ଏବଂ ଏହି ତଦନ୍ତକୁ ଆଗକୁ ନେବାକୁ ଏବଂ ଅପରାଧୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଚାହୁଁଛୁ ବୋଲି ସେ କହିଛନ୍ତି।

କାନାଡାରେ ଖାଲିସ୍ତାନୀ ନେତାଙ୍କ ହତ୍ୟାରେ ଭାରତୀୟ ଏଜେଣ୍ଟଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ବିଷୟରେ ଜ୍ୟାକ ସୁଲିଭନଙ୍କୁ ପଚରାଯାଇଥିଲା, ସେତେବେଳେ ସେ କହିଛନ୍ତି, ଆମେରିକା ଶୀର୍ଷ ସ୍ତରରେ ଭାରତ ସହ ଯୋଗାଯୋଗରେ ଅଛି। କେଉଁ ଦେଶ ପ୍ରଭାବିତ ହେଉନା କାହିଁକି ଆମେରିକା ଏହାର ନୀତି ପାଇଁ ଛିଡା ହେବ ବୋଲି ସଲିଭାନ କହିଛନ୍ତି।

Share