ପୁଣି ଅଶାନ୍ତ ହେଲା ଆମେରିକା

ୱାଶିଂଟନ,୨୪ ।୭: ଆମେରିକାରେ ଗୁଳିକାଣ୍ଡ ଘଟଣା ବେଳକୁ ବେଳ ସାଧାରଣ ହେବାରେ ଲାଗିଛି । ଯେଉଁଥିପାଇଁ ଏଠାରେ ରହୁଥିବା ଲୋକମାନେ ସୁରକ୍ଷାକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସକାଳେ ୱାଶିଂଟନର ରେଂଟନ ସହରରେ ଗୁଳି ଫୁଟିଥିବା ଘଟଣା ସାମ୍ନାକୁ ଆସିଛି । ଏହି ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହେବା ସହ ୬ ଜଣ ଆହତ ହୋଇଥିବା କୁହାଯାଉଛି ।
ସିଏନଏର ରିପୋର୍ଟ ଅନୁଯାୟୀ, ସକାଳେ ରେଂଟନର ସିଏଟଲ ଉପନଗରରେ ଏକ ଗୁଳିକାଣ୍ଡ ଘଟଣା ଘଟିଥିଲା । ଫଳରେ ଗୁଳି ବାଜିବାରୁ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୬ ଆହତଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ତୁରନ୍ତ ପୋଲିସ ସେଠାରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ରେଂଟନ ପୋଲିସ ପ୍ରବକ୍ତା ସୌଡ୍ରା ହୈବାଲିକ କହିଛନ୍ତି, ଏହି ଘଟଣା ସ୍ଥାନୀୟ ସମୟ ଅନୁସାରେ ସକାଳ ୧ଟା ପୂର୍ବରୁ ରେଂଟନ ସହରରେ ହୋଇଛି । ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଜଣେ ବ୍ୟକ୍ତି ଗୁରୁତର ଥିବା ବେଳେ ସେହିଠାରେ ହିଁ ପ୍ରାଥମିକ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।
ସୂଚନାଯୋଗ୍ୟ, ଏକ ରିପୋର୍ଟ ଅନୁସାରେ ଚଳିତ ବର୍ଷ ଆମେରିକାର ଗନ ଭାୟୋଲେନ୍ସ କାରଣରୁ ପାଖାପାଖି ୩୦୨ରୁ ଅଧିକ ଗୁଳିକାଣ୍ଡ ଘଟଣା ଘଟିଲାଣି ।

Share