ଆଇସିୟୁରେ ଏସି ବ୍ୟବହାର ଯୋଗୁ କରୋନାରେ ଅଧିକ ସଂକ୍ରମିତ ହେଉଛନ୍ତି ଡାକ୍ତର!

ନୂଆଦିଲ୍ଲୀ,୨୦ ।୧୦: କରୋନା ମହାମାରୀ ଏବେ ତା’ର କାୟା ବିସ୍ତାର କରି ଚାଲିଛି । ଆଗକୁ ବିଭିନ୍ନ ପର୍ବପର୍ବାଣୀ ସାଙ୍ଗକୁ ଶୀତଋତୁ ଆସୁଥିବାରୁ କରୋନା ଆହୁରି ବଢିବ ବୋଲି ବିଶେଷଜ୍ଞମାନେ ଅନୁମାନ ଲଗାଇଛନ୍ତି । ତେଣୁ ଏହି ସମୟରେ ଅଧିକ ସତର୍କ ରହିବାକୁ କୁହାଯାଉଛି । ତେବେ ଏହି ମାହମାରୀକୁ ଦୂରେଇ ଦେବାକୁ ଦିନରାତି ଏକ କରି ଦେଇଛନ୍ତି ଆଗ ଧାଡିର କରୋନା ଯୋଦ୍ଧା । ଡାକ୍ତର, ପାରାମେଡିକାଲ ଷ୍ଟାଫ ସମସ୍ତେ ଲକ୍ଷ ଲକ୍ଷ ରୋଗୀଙ୍କ ଜୀବନ ବଞ୍ଚାଉଥିବା ବେଳେ ସେମାନଙ୍କ ଜୀବନ ସଙ୍କଟରେ ପଡିଯାଉଛି । ଏବେସୁଦ୍ଧା ଭାରତରେ ପାଖାପାଖି ୫ଶହ ଡାକ୍ତରଙ୍କର କରୋନାରେ ମୃତ୍ୟୁ ହୋଇଥିବା କୁହାଯାଉଛି । ଯାହା ଏକ ଚିନ୍ତାଜନକ ବିଷୟ । ଏବେ ଏକ ଗବେଷଣାରୁ ଜଶପଡିଛି କି କରୋନା ରୋଗୀ ଚିକିତ୍ସିତ ହେଉଥିବା ଆଇସିୟୁରେ ଲାଗିଥିବା ଏସି ଯୋଗୁ ଅଧିକାଂଶ ଡାକ୍ତର କରୋନାରେ ସଂକ୍ରମିତ ହେଉଛନ୍ତି । ଦେଶର ସବୁଠାରୁ ବଡ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ, ବେଙ୍ଗାଲୁରୁର ଏକ ଗବେଷଣାରୁ ଜଣାପଡିଛି କି ସେଣ୍ଟ୍ରାଲ ଏସି ଯୋଗୁ କରୋନା ରୋଗୀଙ୍କଠାରୁ ଡାକ୍ତରମାନଙ୍କୁ ସଂକ୍ରମଣ ଅଧିକ ହେଉଛି । ଯାହାଫଳରେ ଅଧିକାଂଶ ଡାକ୍ତର ଓ ନର୍ସଙ୍କର ମୃତ୍ୟୁ ହେଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଘର ଭିତରର ବାୟୁକୁ ଆବଦ୍ଧ ନ ରଖି ବରଂ ବାହାରର ବାୟୁ ଘର ଭିତରକୁ ଚଳପ୍ରଚଳ କଲେ କରୋନା ସଂକ୍ରମଣ ଆଶଂକା ଅନେକାଂଶରେ କମ୍ ହୋଇଥାଏ ।

Share