Categories: ଜାତୀୟ

ଡାକବାଜି ଯନ୍ତ୍ର ବ୍ୟବହାର ମୌଳିକ ଅଧିକାର ନୁହେଁ: ହାଇକୋର୍ଟ

ପ୍ରୟାଗରାଜ,୭ା୫ (ଆଇଏଏନ୍‌ଏସ୍‌): ମସ୍‌ଜିଦରେ ଡାକବାଜି ଯନ୍ତ୍ର ଲଗାଇବା ଲାଗି ଏକ ଆବେଦନକୁ ଆଲ୍ଲାହାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଡାକବାଜି ଯନ୍ତ୍ର ବ୍ୟବହାର କରିବା ମୌଳିକ ଅଧିକାର ନୁହେଁ ବୋଲି ଅଦାଲତ କହିଛନ୍ତି। ଆଜାନ ପାଇଁ ନୂରୀ ମସ୍‌ଜିଦରେ ଡାକବାଜି ଯନ୍ତ୍ର ସ୍ଥାପନ ଲାଗି ହୋଇଥିବା ଆବେଦନକୁ ୨୦୨୧ ଡିସେମ୍ବର ୩ରେ ବିସୌଲି ଏସ୍‌ଡିଏମ୍‌ ଖାରଜ କରିଦେଇଥିଲେ। ଉକ୍ତ ନିର୍ଦ୍ଦେଶନାମାକୁ ଚ୍ୟାଲେଞ୍ଜ କରି ଇର୍ଫାନ୍‌ ନାମକ ବ୍ୟକ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ମସ୍‌ଜିଦରେ ଡାକବାଜି ଯନ୍ତ୍ର ବ୍ୟବହାର ସାମ୍ବିଧାନିକ ଅଧିକାର ନୁହେଁ କହି ଜଷ୍ଟିସ ବିବେକ କୁମାର ବିର୍ଲା ଏବଂ ବିକାଶ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି।
ଧର୍ମୀୟ ସ୍ଥଳରେ ଡାକବାଜି ଯନ୍ତ୍ର ବ୍ୟବହାରକୁ ନେଇ ଏବେ ବିଭିନ୍ନ ରାଜ୍ୟରେ ବିବାଦ ଦେଖାଦେଇଛି। ମହାରାଷ୍ଟ୍ରରେ ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ୍‌ ଠାକ୍‌ରେ ମସ୍‌ଜିଦରୁ ଡାକବାଜି ଯନ୍ତ୍ର ହଟାଇବା ପାଇଁ ଆହ୍ବାନ ଦେବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି।

ଲାଉଡ୍‌ସ୍ପିକର ବିବାଦରୁ ହିଂସା: ଜଣେ ମୃତ

ଅହମଦାବାଦ: ମନ୍ଦିରରେ ଉଚ୍ଚ ଶବ୍ଦରେ ଡାକବାଜି ଯନ୍ତ୍ର ବ୍ୟବହାରକୁ ନେଇ ଗୁଜରାଟରେ ସପ୍ତାହେ ମଧ୍ୟରେ ଦୁଇଟି ହିଂସାକାଣ୍ଡ ଘଟିଲାଣି। ଏଥିରେ ଜଣଙ୍କର ଜୀବନ ଯାଇଛି। ଅହମଦାବାଦର ବାଭଲା ତାଲୁକ ଅନ୍ତର୍ଗତ ମିଠାପୁର ଗ୍ରାମରେ ଗତ ୨ ତାରିଖରେ କେତେଜଣ ଲୋକ ଖଣ୍ଡା ଓ ଲୁହାରଡ଼ରେ ଗୋଟିଏ ପରିବାରର ୯ ଜଣଙ୍କୁ ଆକ୍ରମଣ କରିଥିଲେ। ଉକ୍ତ ପରିବାରର ଦୁଇ ମହିଳା ସଦସ୍ୟାଙ୍କ ଅବସ୍ଥା ଗୁରୁତର ରହିଛି। ସେହିପରି ୪ ତାରିଖରେ ଡାକବାଜି ଯନ୍ତ୍ର ବଜାଇବାକୁ ନେଇ ମେହସାନା ଗ୍ରାମରେ ଜଣେ ୪୨ ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କ ନିଜ ସମ୍ପ୍ରଦାୟର କେତେଜଣ ଲୋକ ପିଟି ମାରିଦେଇଛନ୍ତି।

Share