Categories: ଜାତୀୟ

ଖାଦ୍ୟ ପ୍ୟାକ ପାଇଁ ଖବର କାଗଜର ବ୍ୟବହାର କରିପାରେ ଅସୁସ୍ଥ: ଏଫଏସଏସଏଆଇ…

ନୂଆଦିଲ୍ଲୀ,୩୦।୯ : ଖାଦ୍ୟ ସାମଗ୍ରୀ ପ୍ୟାକ କରିବା ପାଇଁ ଖବରକାଗଜ ବ୍ୟବହାର କରିବା ବିପଜ୍ଜନକ।ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ ଇଣ୍ଡିଆ (ଏଫଏସଏସଏଆଇ) ପକ୍ଷରୁ ଖାଦ୍ୟ ବିକ୍ରେତା ଏବଂ ଗ୍ରାହକଙ୍କୁ ଖାଦ୍ୟ ସାମଗ୍ରୀର ପ୍ୟାକ, ସେବା ଏବଂ ସଂରକ୍ଷଣ ପାଇଁ ଖବରକାଗଜ ବ୍ୟବହାର ବନ୍ଦ କରିବାକୁ କହିଛି। ଏହି ପରିପ୍ରେକ୍ଷୀରେ ନିୟମ ଉପରେ ନଜର ରଖିବା ଏବଂ କାର୍ଯ୍ୟକାରୀ କରିବା ପାଇଁ ଏଫଏସଏସଏଆଇ ରାଜ୍ୟ ଖାଦ୍ୟ କର୍ତ୍ତୃପକ୍ଷଙ୍କ ସହ ମିଳିତ ଭାବରେ କାର୍ଯ୍ୟ କରୁଛି।

ଏଫଏସଏସଏଆଇ ସିଇଓ ଜି କମଲା ବର୍ଦ୍ଧନ ରାଓ ଖାଦ୍ୟ ସାମଗ୍ରୀ ପ୍ୟାକ କରିବା, ପରିବେଷଣ ଏବଂ ସଂରକ୍ଷଣ ପାଇଁ ଖବରକାଗଜ ବ୍ୟବହାର ବନ୍ଦ କରିବାକୁ ଅନୁରୋଧ କରିଛନ୍ତି। ଖାଦ୍ୟ ଗୁଡ଼ାଇବା କିମ୍ବା ପ୍ୟାକେଜ କରିବା ପାଇଁ ଖବରକାଗଜର ବ୍ୟବହାରକୁ ନେଇ ସେ ଉଦବେଗ ପ୍ରକାଶ କରିବା ସହ ଏବଂ ଏହି ଅଭ୍ୟାସ ସ୍ବାସ୍ଥ୍ୟ ପ୍ରତି ବିବଜ୍ଜନକ ଥିବା ମଧ୍ୟ ଦର୍ଶାଇଛନ୍ତି।

ମୁଦ୍ରଣ ଇଙ୍କରେ ଥିବା ସୀସା ଏବଂ ଭାରୀ ଧାତୁ ସହିତ ଅନ୍ୟ ରାସାୟନିକ ପଦାର୍ଥ ଥାଏ। ଖାଦ୍ୟ ନିୟାମକ ଏଫଏସଏସଏଆଇ ଚେତାବନୀ ଦେଇଛନ୍ତି ଖବରକାଗଜରେ ବ୍ୟବହୃତ ଇଙ୍କରେ ବିଭିନ୍ନ ରାସାୟନିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରିବା ସହିତ ଖାଦ୍ୟକୁ ଦୂଷିତ କରିପାରେ ଏବଂ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ।

ବିତରଣ ସମୟରେ ଖବରକାଗଜ ବିଭିନ୍ନ ପରିବେଶର ସମ୍ମୁଖୀନ ହୁଏ, ଯାହା ଦ୍ୱାରା ଭୁତାଣୁ, ଜୀବାଣୁ କିମ୍ବା ଅନ୍ୟାନ୍ୟ ବିପଜ୍ଜନକ ଅଣୁଜୀବ ଦ୍ୱାରା ଏହା ଦୂଷିତ ହୋଇପାରିବାର ଆଶଙ୍କା ରହିଥାଏ। ଯାହା ଖାଦ୍ୟକୁ ସ୍ଥାନାନ୍ତରିତ ହୋଇପାରେ ଏବଂ ଖାଦ୍ୟ ଦ୍ୱାରା ରୋଗ ହୋଇପାରେ।

ଏଫଏସଏସଏଆଇ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ୟାକେଜିଂ ନିୟମାବଳୀ, ୨୦୧୮ କୁ ସୂଚିତ କରିଛି ଯାହା ଖାଦ୍ୟ ସଂରକ୍ଷଣ ଏବଂ ଗୁଡ଼ାଇବା ପାଇଁ ଖବରକାଗଜ କିମ୍ବା ସମାନ ସାମଗ୍ରୀର ବ୍ୟବହାରକୁ କଡା ବାରଣ କରିଥାଏ। ଏହି ନିୟମ ଅନୁଯାୟୀ, ଖବରକାଗଜରେ ଖାଦ୍ୟ ଗୁଡ଼ାଇବା, ଘୋଡାଇବା କିମ୍ବା ପରିବେଷଣ କରିବା କିମ୍ବା ଭଜା ଖାଦ୍ୟରୁ ଅଧିକ ତେଲ ଶୋଷିବା ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ।

Share