Advertisement

ପଲିଥିନ୍‌ ବଳୟରେ ରାଉରକେଲା ସହର

ରାଉରକେଲା,୨୧।୧୧(ଦିନେଶ ମିଶ୍ର): ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଏବେ ପଲିଥିନ୍‌ ବ୍ୟବହାର ବଢିବାରେ ଲାଗିଛି। ସହରର ବିଭିନ୍ନ ଅଳିଆଗଦା ହେଉ କି ଡଷ୍ଟବିନ ସବୁଠି କୁଢ କୁଢ ପଲିଥିନ ପଡିଥିବା ଦେଖିବାକୁ ମିଳୁଛି। ପ୍ରତିବର୍ଷ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ପଲିଥିନ ଦିବସ ପାଳନ କରି ସଚେତନ କରାଯାଉଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡୁନାହିଁ।
ହକି ବିଶ୍ୱକପ୍‌ ପୂର୍ବରୁ ଆର୍‌ଏମ୍‌ସି ପକ୍ଷରୁ ସହରର ଜରି ଦୋକାନ ଓ ବ୍ୟବସାୟସ୍ଥଳରେ ଚଢାଉ କରାଯାଇଥିଲା। ପରେ ଏହି ଚଢାଉ ବନ୍ଦ ରହିଛି। ଫଳରେ ବ୍ୟବସାୟୀ ଓ ଦୋକାନୀ ଖୁଲମଖୁଲା ସହରରେ ଜରି ବିକ୍ରି କରୁଛନ୍ତି। ରାତି ପାହିଲେ ଗ୍ରାହକଙ୍କ ହାତରେ ପଲିଥିନ ବ୍ୟାଗ ଦେଖିବାକୁ ମିଳୁଛି। ଏମିତିକି ଜଳଖିଆ ଦୋକାନଗୁଡିକରେ ପଲିଥିନରେ ଜିନିଷ ପ୍ୟାକିଂ କରି ବିକ୍ରି କରାଯାଉଛି। ସହରରେ ପ୍ରତିଦିନ ବ୍ୟାପକ ଜରି ବ୍ୟବହାର ହେଉଥିବାବେଳେ ଆର୍‌ଏମ୍‌ସି ପକ୍ଷରୁ ଆଜିକୁ ୫ ମାସରୁ ଊର୍ଦ୍ଧ୍ୱ ହେବ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଇନାହିଁ। ଫଳରେ ଡେଲିମାର୍କେଟ, ପାନପୋଷ ମାର୍କେଟ, ପ୍ଲାଣ୍ଟସାଇଟ ହୋଲସେଲ ମାର୍କେଟ, ଟ୍ରାଫିଗେଟ୍‌ ଓ ଆମ୍ବଗାନ ଭଳି ପ୍ରମୁଖ ମାର୍କେଟରେ ଅଧିକାଂଶ ଅସାଧୁ ବ୍ୟବସାୟୀ ଖୁଲମଖୁଲା ପଲିଥିନ ବିକ୍ରି କରୁଛନ୍ତି। ଏଥିଯୋଗୁ ରାସ୍ତାକଡ, ଡ୍ରେନ ଭିତରେ ଏହି ଜରି ପଡି ଜାମ୍‌ କରୁଛି। ରାସ୍ତାକଡରେ ବୁଲାପଶୁମାନେ ଏହି ପଲିଥିନ ଖାଇ ମୃତ୍ୟୁମୁଖରେ ପଡୁଛନ୍ତି।
ଏ ନେଇ ଡେଲିମାର୍କେଟର ଜଣେ ଲୁଗା ଦୋକାନୀ କୁହନ୍ତି, କୌଣସି ଗ୍ରାହକ ମାର୍କେଟିଂ କରିବାକୁ ଆସିଲେ ହାତରେ ବ୍ୟାଗ ଆଣୁନାହାନ୍ତି। ଯଦି ମୁଁ ପଲିବ୍ୟାଗ୍‌ ନ ଦେବି ତେବେ ଗ୍ରାହକ ଅନ୍ୟ ଦୋକାନରୁ ଜିନିଷ ନେଇଯିବେ। ସାମାନ୍ୟ ଏକ ପଲିଥିନ ବ୍ୟାଗ ପାଇଁ ମୁଁ ଗୋଟିଏ ଗ୍ରାହକ ହରାଇବି। ତେଣୁ ବାଧ୍ୟହୋଇ ଆମେ ପଲିଥିନ ଦେଉଛୁ। ତେବେ ସହରରେ ବିଭିନ୍ନ ସମୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚଢାଉ ହେଉ ନ ଥିବାରୁ ଏଭଳି ଦିନକୁ ଦିନ ପଲିଥିନ ବ୍ୟବହାର ବଢୁଥିବା ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଆରଏମ୍‌ସି ସହକାରୀ ଉପଆୟୁକ୍ତ ନରେନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ ସେ କହିଥିଲେ, ସହରରେ ପଲିଥିନ ବ୍ୟବହାର ଉପରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଚଢାଉ କରିଥାଏ। ବର୍ତ୍ତମାନ ଆମ ପାଖରେ ଅଧିକ ଷ୍ଟାଫ୍‌ ନାହାନ୍ତି। ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବିଶେଷ ସହଯୋଗ ମିଳୁନାହିଁ। ଆମେ ଗତ ହକି ବିଶ୍ୱକପ୍‌ ସମୟରେ ଶେଷଥର ପାଇଁ ଯାହା ଚଢ଼ାଉ କରି ୪୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ କରିଥିଲୁ। ସହରରେ ବହୁଦିନ ଧରି ଚଢ଼ାଉ ହୋଇନାହିଁ। ଆମେ ଆସନ୍ତା ୭ ଦିନ ଭିତରେ ପୁଣିଥରେ ବିଭିନ୍ନ ସ୍ଥାନରେ ଚଢାଉ କରିବୁ ବୋଲି ପ୍ରଧାନ କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share