ପାକିସ୍ତାନକୁ ବଡ ଝଟ୍‌କା

ୟୁଏଇ,୨୦।୧୧: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ) ପାକିସ୍ତାନ ସମେତ ୧୨ଟି ଦେଶର ଲୋକଙ୍କ ପାଇଁ ନୂତନ ଭିସା ପ୍ରଦାନ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏହା ନିଶ୍ଚିତ କରିଛି। ୟୁଏଇର ଏହି ନିଷ୍ପତ୍ତି ପରେ ପାକିସ୍ତାନ ଆର୍ଥିକ ସଙ୍କଟ ଆହୁରି ବଢିବାକୁ ଯାଉଛି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାହିଦ ହାଫିଜ ଚୌଧୁରୀ ଏକ ବିବୃତ୍ତିରେ କହିଛନ୍ତି ଯେ, କରୋନାର ଦ୍ୱିତୀୟ ପର୍ଯ୍ୟାୟକୁ ଦୃଷ୍ଟିରେ ରଖି ୟୁଏଇ ଏହି ନିଷ୍ପତ୍ତି ନେଇଛି। ଆମେ ଜାଣିବାକୁ ପାଇଲୁ ଯେ, ୟୁଏଇ ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ମୋଟ ୧୨ଟି ଦେଶ ପାଇଁ ନୂତନ ଭିସା ପ୍ରଦାନ ଉପରେ ପ୍ରତିବନ୍ଧକ ଲଗାଇଛି। ୟୁଏଇ ପ୍ରଶାସନ ପକ୍ଷରୁ ଏ ବାବଦରେ ସରକାରୀ ପୃଷ୍ଟି ପାଇଁ ଉଦ୍ୟମ କରାଯାଉଛି ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିଛି। ତେବେ ୟୁଏଇ ଭାରତୀୟଙ୍କ ପାଇଁ ଏମିତି କୌଣସି ପ୍ରତିବନ୍ଧକ ଲଗାଇ ନାହିଁ।

Share