ପୌରପରିଷଦରେ ୟୁଜର୍ସ ଫି’ କେଳେଙ୍କାରୀ: କ୍ୟାଶିୟର ଗିରଫ, ଏବେ ବି ଫେରାର ଅଛନ୍ତି ୨ ମାଷ୍ଟରମାଇଣ୍ଡ୍‌

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌରପରିଷଦରେ ୟୁଜର୍ସ ଫି’ କେଳେଙ୍କାରୀ ମାମଲାରେ ସ୍ଥାନୀୟ ଟାଉନ୍‌ ଥାନା ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବୁଧବାର ପୋଲିସ ପୌରପରିଷଦରେ କାର୍ଯ୍ୟରତ କ୍ୟାଶିୟର ଦେବାନନ୍ଦ ରଣାଙ୍କୁ ଗିରଫ କରିଛି। ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବରଗଡ଼ ସବଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ଅନ୍ୟପଟେ ଏଭଳି ଏକ ବଡ଼ କେଳେଙ୍କାରୀର ୨ ମାଷ୍ଟରମାଇଣ୍ଡ୍‌ କୁହାଯାଉଥିବା ସାନିଟାରୀ ଏକ୍ସପର୍ଟ ସୁଶାନ୍ତ ପ୍ରଧାନ ଏବଂ ପାର୍ଥସାରଥୀ ସେଠୀଙ୍କୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିପାରିନାହିଁ। ସେମାନଙ୍କୁ ଧରିବା ପାଇଁ ପୋଲିସ ବ୍ୟାପକ ତନାଘନା ଚଳାଇଛି। ଫେରାର ରହିଥିବା ଏହି ୨ ଅଭିଯୁକ୍ତ ଧରାପଡ଼ିଲେ ପୋଲିସ ସେମାନଙ୍କଠାରୁ ଏହି କେଳେଙ୍କାରୀର ବହୁ ଚାଞ୍ଚଲ୍ୟକର ତଥ୍ୟ ହାସଲ କରି ପାରିବ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ପୌରନିର୍ବାହୀ ଅଧିକାରୀ ହରପ୍ରସାଦ ଭୋଇ ଏତଲା ଦେବା ପରେ ସେମାନେ ଫେରାର ହୋଇଯିବା ଘଟଣାକୁ ନେଇ ନାନା ଚର୍ଚ୍ଚା ଚାଲିଛି। ସେମାନଙ୍କୁ ଫେରାର୍‌ କରିବା ପଛରେ ତଥାକଥିତ କିଛି ବଡ଼ବଡ଼ିଆଙ୍କ ହାତ ରହିଥିବା ଏବଂ ସମ୍ପୃକ୍ତ ୨ଅଭିଯୁକ୍ତ ଆଗୁଆ ଜାମିନ ପାଇଁ ଉଦ୍ୟମ ଚଳାଇଥିବା ସାଧାରଣରେ ଆଲୋଚିତ ହେଉଛି। ତେବେ ଏହି ୨ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ କେବେ ସକ୍ଷମ ହେଉଛି, ତାକୁ ସଭିଏଁ ଚାହିଁ ବସିଛନ୍ତି।

ସୂଚନାନୁଯାୟୀ, ବରଗଡ଼ ପୌରପରିଷଦରେ ୟୁଜର୍ସ ଫି’ ଅସୁଲି ପାଇଁ ଉଦ୍ଦିଷ୍ଟ ରସିଦ୍‌ ବହିକୁ ଟାମ୍ପରିଂ କରି ଅଭିଯୁକ୍ତ କର୍ମଚାରୀମାନେ ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରିଛନ୍ତି। ରସିଦକୁ ଟାମ୍ପରିଂ କରି ଅସୁଲି ହୋଇଥିବା ୟୁଜର୍ସ ଫି’ର ସମୁଦାୟ ଟଙ୍କାରୁ ୯୦ ପ୍ରତିଶତ ଆତ୍ମସାତ୍‌ କରି ବାକି ୧୦ ପ୍ରତିଶତ ପୌରପରିଷଦରେ ଜମା କରି ଆସୁଥିଲେ। ତେବେ ଘଟଣାଟି ପ୍ରଘଟ ହେବା ପରେ ଅଭିଯୁକ୍ତ କର୍ମଚାରୀମାନେ ଏଥିରେ ପ୍ୟାଚ୍‌ଅପ୍‌ ମାରିବାକୁ ଉଦ୍ୟମ କରିଥିଲେ। ସେମାନଙ୍କ ସମ୍ପର୍କରେ ରହିଥିବା କିଛି ନିର୍ଦ୍ଦିଷ୍ଟ ତଥାକଥିତ ବଡ଼ବଡ଼ିଆଙ୍କୁ ଯୋଗାଯୋଗ କରି ଘଟଣାକୁ ଚାପିଦେବାକୁ ଉଦ୍ୟମ କରିଥିଲେ। କିନ୍ତୁ ଖୋଦ୍‌ ପୌରାଧ୍ୟକ୍ଷା କଳ୍ପନା ମାଝୀ, ଉପାଧ୍ୟକ୍ଷ ରାଜେଶ ଅଗ୍ରଓ୍ବାଲଙ୍କ ସମେତ ସମସ୍ତ କାଉନସିଲର ଉକ୍ତ କେଳେଙ୍କାରୀ ଉପରେ ଦୃଢ଼ କାର୍ଯାନୁଷ୍ଠାନ ଦାବିରେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହେବା ପରେ ସେମାନଙ୍କ ସବୁ ପ୍ରୟାସ ବିଫଳ ହୋଇ ଯାଇଥିଲା। କେଳେଙ୍କାରୀର ୨ ମାଷ୍ଟରମାଇଣ୍ଡ୍‌ କୁହାଯାଉଥିବା ସାନିଟାରୀ ଏକ୍ସପର୍ଟ ସୁଶାନ୍ତ ଏବଂ ପାର୍ଥସାରଥୀଙ୍କୁ ପୌରପରିଷଦରୁ ହଟାଇ ଦିଆଯାଇ ଥିବାବେଳେ କ୍ୟାଶିୟରଙ୍କୁ ଜିଲାପାଳ ଗୋୟଲ ନିଲମ୍ବନ କରିଥିଲେ। ଏହାପରେ ସୋମବାର ରାତିରେ ପୌରନିର୍ବାହୀ ଅଧିକାରୀ ଭୋଇ କେଳେଙ୍କାରୀ ଘଟଣାକୁ ନେଇ ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲାକୁ ଭିତ୍ତିକରି ପୋଲିସ ବିଭିନ୍ନ ଦଫାରେ ୫୩୬/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।