Categories: ଖେଳ

ଆଥଲେଟ୍‌ଙ୍କୁ ଉତ୍ସାହିତ କଲେ ଉଷା

ଭୁବନେଶ୍ୱର, ୧୫।୬ (ତପନ ସ୍ବାଇଁ): ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ ସଭାପତି ତଥା ଏମ୍‌ପି ପି.ଟି. ଉଷା ବୁଧବାର କିଟ୍‌ ଆଥଲେଟିକ୍‌ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ଚାଇନାର ଚେଙ୍ଗଡୁଠାରେ ଜୁଲାଇ ୨୮ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁଥିବା ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସ ପାଇଁ କିଟ୍‌ରେ ଚୟନ ଟ୍ରାଏଲ୍‌ ଚାଲିଛି। ଉଷା ଆଥଲେଟ୍‌ଙ୍କ ସହ ଭାବ ବିନିମୟ କରିବା ଅବସରରେ ଉତ୍ସାହିତ କରିଥିଲେ। ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ଅଧିକରୁ ଅଧିକ ପଦକ ଜିତିବାକୁ ସେ ପରାମର୍ଶ ଦେଇଥିଲେ। ଚଳିତ ବର୍ଷ ଭାରତରୁ ୧୨ ଇଭେଣ୍ଟରେ ୩୩୫ ଆଥଲେଟ୍‌ ଅଂଶଗ୍ରହଣ କରିବାକୁ ଯାଉଥିବା ଉଷା ଏଠାରେ ଜାଣିବାକୁ ପାଇଥିଲେ। ଭାରତୀୟ ପ୍ରତିଯୋଗୀମାନେ ଆର୍ଚେରୀ, ଆଥଲେଟିକ୍ସ, ବ୍ୟାଡ୍‌ମିଣ୍ଟନ, ଫେନ୍‌ସିଂ, ଜୁଡୋ, ଶୁଟିଂ, ସୁଇମିଂ, ଟେବୁଲ ଟେନିସ, ଟାଇକୋଣ୍ଡୋ, ଟେନିସ, ଉଷୁ ଓ ଭଲିବଲ ଇଭେଣ୍ଟରେ ଅଂଶଗ୍ରହଣ କରିବ। ଆସୋସିଏଶନ ଅଫ୍‌ ଇଣ୍ଡିଆନ ୟୁନିଭର୍ସିଟିଜ୍‌ ଏତେ ସଂଖ୍ୟକୁ ଆଥଲେଟ୍‌ ପଠାଇବା ଏହା ପ୍ରଥମ।
ପ୍ରକାଶ ଯୋଗ୍ୟ ଯେ, ଭାରତୀୟ ଦଳ ଭାଗ ନେବାକୁ ଯାଉଥିବା ୧୨ ଇଭେଣ୍ଟରୁ କିଟ୍‌ରେ ୪ ବିଭାଗରେ ଚୟନ ଟ୍ରାଏଲ ଚାଲିଛି। ତାହା ହେଲା ଆର୍ଚେରୀ, ଆଥଲେଟିକ୍ସ, ବ୍ୟାଡ୍‌ମିଣ୍ଟନ ଓ ଭଲିବଲ। ଉଭୟ ମହିଳା ଓ ପୁରୁଷ ବିଭାଗରେ ଏହି ଟ୍ରାଏଲ ବୁଧବାର ଆରମ୍ଭ ହୋଇଛି ଏବଂ ଗୁରୁବାର ମଧ୍ୟ ଚାଲିବ। ଅଲିମ୍ପିଆନ ପ୍ରିୟଙ୍କା ଗୋସ୍ବାମୀ ୨୦୨୪ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ଲାଲୁ ପ୍ରସାଦ ଭୋଇ, ପ୍ରଜ୍ଞା ପ୍ରଶାନ୍ତି ସାହୁ, ବିକ୍ରାନ୍ତ ମଲିକ, ଆଶିଷ ସ୍ବାଇଁ, ମାମାଲି ନାଗ୍‌, ଶିବାନୀ ପ୍ରିୟଦର୍ଶିନୀଙ୍କ ପରି କେତେକ ଓଡ଼ିଶା ଖେଳାଳି ଟ୍ରାଏଲରେ ପ୍ରଭାବୀ ପ୍ରଦର୍ଶନ କରି ଇଣ୍ଡିଆନ ୟୁନିଭର୍ସିଟି ଟିମ୍‌ରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଅବସରରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପକ୍ଷରୁ କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ସମ୍ମାନ ସ୍ବରୂପ ଉଷାଙ୍କୁ ଜନଜାତୀୟ ଖେଳ ମହୋତ୍ସବର ଏକ ଟି-ଶାର୍ଟ ପ୍ରଦାନ କରିଥିଲେ। ଖେଳକୁ ପ୍ରୋତ୍ସାହନ ଦେଉଥିବାରୁ ଉଷା କିଟ୍‌ ଓ କିସ୍‌କୁ ପ୍ରଶଂସା କରିଥିଲେ।

 

Share