ହଟିନି ୫-ଟି ବୋର୍ଡ, ପୂର୍ବ ସରକାରଙ୍କ ସଫଳତା ହୋର୍ଡିଂ

ସୋନପୁର,୨୭ା୬(ମୃତ୍ୟୁଞ୍ଜୟ ଶତପଥୀ)ଓଡ଼ିଶାରେ ନୂଆ ସରକାର ଗଠନ ହୋଇଛି। ୨୪ବର୍ଷର ବିଜେଡି ସରକାରକୁ ହଟାଇ ଭାଜପା ରାଜ୍ୟରେ ପ୍ରଥମଥର ପାଇଁ ସରକାର ଗଠନ କରିଛି। ଶାସନକୁ ଆସିବା କ୍ଷଣି ଭାଜପା ସରକାର ହାଇସ୍କୁଲରୁ ୫-ଟି ବୋର୍ଡ ହଟାଇ ଦେଇଛନ୍ତି। ରାଜ୍ୟରେ ଶାସନ କ୍ଷମତାରେ ଥିବା ବେଳେ ବିଜେଡି ସରକାର ୫-ଟି ଅଧୀନରେ ଓଡିଶାର ପ୍ରାୟ ସମସ୍ତ କାର୍ଯ୍ୟକ୍ରମ କରୁଥିଲା। ସ୍କୁଲ, କଲେଜଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ୫-ଟିର ବହୁଳ ପ୍ରଚାର ପ୍ରସାର କରା ଯାଇଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟର ପ୍ରମୁଖ ସ୍ଥାନରେ ୫-ଟି ବୋର୍ଡ ଲାଗିଥିଲା। ତେବେ ସରକାରୀ କାର୍ଯ୍ୟାଳୟରୁ ୫-ଟି ଚାର୍ଟର ବୋର୍ଡ ହଟାଇବାକୁ ନିର୍ଦ୍ଦେଶ ଆସିଛି। ନୂଆ ସରକାର ଗଠନ ହେବାର ଇତିମଧ୍ୟରେ ୧୪ଦିନ ବିତିଗଲାଣି। କିନ୍ତୁ ଜିଲାର ବିଭିନ୍ନ ଅଞ୍ଚଳରୁ ୫-ଟି ଓ ପୂର୍ବ ସରକାରଙ୍କ ବିଜ୍ଞାପନ ବୋର୍ଡ ହଟୁ ନାହିଁ। ଶାସକ ଦଳ ଭାଜପା ପକ୍ଷରୁ ଏ ନେଇ ଜିଲାପାଳଙ୍କୁ ଅବଗତ କରାଯିବ ବୋଲି ସୂଚନା ମିଳିଛି।
ଜିଲାର ଅନେକ ସ୍ଥାନରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ସରକାରୀ ସଫଳତା, ବିଭିନ୍ନ ଯୋଜନା ସମ୍ପର୍କିତ ବୋର୍ଡ ଓ ହୋର୍ଡିଂ ଏଯାଏ ଝଲସୁଛି। ବିନିକା-ଡୁଙ୍ଗୁରିପାଲି ରାସ୍ତାରେ ଏଭଳି ହୋର୍ଡିଂ ଏବେ ବି ଲାଗିଛି। ସରକାରୀ ଅଫିସ, ରାସ୍ତା, ଶିକ୍ଷାନୁଷ୍ଠାନ ଗୁଡିକରେ ପୂର୍ବ ସରକାରଙ୍କ ପ୍ରଚାର ବୋର୍ଡ ଓ ହୋର୍ଡିଂ ଶୋଭା ପାଉଛି। ସୋନପୁର ବ୍ଲକ କାନ୍ଥରେ ନବୀନ ପଟ୍ଟନାୟକ, ୫-ଟି ଓ ମୋ ସରକାର ସମ୍ପର୍କିତ ଲେଖା ପୂର୍ବଭଳି ରହିଛି। ଏ ସମ୍ପର୍କରେ ସୋନପୁର ବିଡିଓ ସୌମ୍ୟରଞ୍ଜନ ସ୍ବାଇଁ କହିଛନ୍ତି, ସରକାରୀ ନିର୍ଦ୍ଦେଶ ଆସିବା ପରେ ପୂର୍ବରୁ ଥିବା ହୋର୍ଡିଂକୁ ହଟାଇ ଦିଆଯାଇଛି। ଭୁଲରେ ଅଳ୍ପକିଛି ଲେଖା କାନ୍ଥରେ ରହିଛି, ସେଗୁଡିକୁ ଖୁବ୍‌ଶୀଘ୍ର ଲିଭାଇ ଦିଆଯିବ।

Share