Categories: ଖେଳ

ସିରିଜ ଶେଷ ନ ହେଉଣୁ ସ୍ବଦେଶ ଫେରିଲା ଅଧା ଟିମ୍‌ ! କିଭଳି ଜିତିବ…

ନୂଆଦିଲ୍ଲୀ,୨୧।୨: ବର୍ଡର-ଗାଭାସ୍କର ଟ୍ରଫିରେ ୦-୨ରେ ପଛୁଆ ଥିବା ଅଷ୍ଟ୍ରେଲିଆ ଟିମ୍‌ ପାଇଁ ଅସୁବିଧା ବଢିବାରେ ଲାଗିଛି। ଦିଲ୍ଲୀ ଟେଷ୍ଟ ପରେ ଅଧିନାୟକ ପାଟ କମିନ୍ସ ପାରିବାରିକ କାରଣରୁ ସ୍ବଦେଶ ଫେରିଛନ୍ତି। ଏବେ ତାଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ୪-୫ ଅନ୍ୟ ଖେଳାଳି ମଧ୍ୟ ସିରିଜରୁ ବାହାର ହେବାକୁ ଯାଉଛନ୍ତିି। ଏମିତିରେ ସିରିଜ ଜିତିବାର ଆଶା ହରାଇଥିବା ଅଷ୍ଟ୍ରେଲିଆ ଏବେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଛି।

ଦି ଗାର୍ଡିଆନର ରିପୋର୍ଟ ଅନୁଯାୟୀ, ଫିଟନେସ୍‌ ନ ଥିବାରୁ ଦ୍ରୁତ ବୋଲର ଜୋଶ ହାଜଲେଉଡ୍‌ ସିରିଜରୁ ବାଦ ପଡିଛନ୍ତି। ଅଷ୍ଟ୍ରେଲିଆକୁ ଫେରି ସେ ଫିଟ୍‌ ହେବା ଉପରେ କାର୍ଯ୍ୟ କରିବେ। ତାଙ୍କ ବ୍ୟତୀତ ମ୍ୟାଟ ରେନ୍ସା ଏବଂ ଆଷ୍ଟନ ଅଗରଙ୍କୁ ମଧ୍ୟ ଅଷ୍ଟ୍ରେଲିଆକୁ ପଠାଯାଇପାରେ। କାରଣ ଆଗାମୀ ଦୁଇଟି ଟେଷ୍ଟ ପାଇଁ ଉଭୟଙ୍କୁ ଏକାଦଶରେ ଅନ୍ତର୍ଭୁକ୍ତ କରିବାର ସମ୍ଭାବନା ବହୁତ କମ ରହିଛି।

ଅଧିନାୟକ କମିନ୍ସ ଅଷ୍ଟ୍ରେଲିଆ ଫେରିଥିଲେ ହେଁ ଇନ୍ଦୋର ଟେଷ୍ଟ ପୂର୍ବରୁ ଫେରିପାରନ୍ତି ବୋଲି ବିଶ୍ୱାସ କରାଯାଉଛି। ଜୋସ ହାଜଲେଉଡ, ମ୍ୟାଟ ରେନ୍ସା ଏବଂ ଆଷ୍ଟନ ଏଗର୍ଙ୍କ ବ୍ୟତୀତ ଡେଭିଡ ୱାର୍ନରଙ୍କ ସହ ମଧ୍ୟ ଏକ ସମସ୍ୟା ରହିଛି। ଦିଲ୍ଲୀ ଟେଷ୍ଟରେ ୱାର୍ନର ଆହତ ହୋଇଥିଲେ। ପରେ ମ୍ୟାଚରେ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରିବାକୁ ପଡିଥିଲା।

Share