ଝିଆରୀଙ୍କ ତଣ୍ଟି କାଟିଦେଲେ ଦାଦା

ବୁଗୁଡ଼ା,୨୪।୧: (ଡି.ଏନ୍‌.ଏ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବଣପଲ୍ଲୀ ଗ୍ରାମରେ ରବିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ସମ୍ପର୍କୀୟ ଦାଦାଙ୍କ ଛୁରା ମାଡରେ ଝିଆରୀ ଗୁରୁତର ହୋଇଛନ୍ତି। ତାଙ୍କ ବେକ ଓ ପେଟରେ ଆଘାତ ଲାଗିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗ୍ରାମର ରଙ୍ଗନିଧି ନାଇକଙ୍କ ଝିଅ ସନ୍ତୋଷୀ ନିଜର ସାନ ଭଉଣୀ ଭାଇ ସହ ମାଟି ଆଣିବାକୁ ବିଲକୁ ଯାଇଥିଲେ। ସେମାନେ ବିଲରେ ଥିବା ସମୟରେ ସମ୍ପର୍କୀୟ ଦାଦା ଧନୁ ନାଇକ ସେଠାରେ ପହଞ୍ଚିଥିଲେ । ପୂର୍ବରୁ ସନ୍ତୋଷୀଙ୍କୁ ଘରୁ ନ ବାହାରିବା ପାଇଁ ଧନୁ ଆକଟ କରିଥିବା ବେଳେ ତାଙ୍କୁ ବିଲରେ ଦେଖି ସେ ଗାଳିଗୁଲଜ କରିଥିଲେ। ପରେ ବେକ ଓ ପେଟକୁ ଛୁରିରେ କାଟିଦେଇଥିଲେ। ସେଠାରୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ସନ୍ତୋଷୀଙ୍କୁ ବୁଗୁଡ଼ା ମେଡିକାଲକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ଦାଦାଙ୍କୁ ଥାନାରେ ଅଟକ ରଖିବା ସହ ମେଡିକାଲରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏ ନେଇ ବୁଗୁଡ଼ା ଥାନାରେ କେସ ନଂ. ୩୩/୨୧ ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତ ରଞ୍ଜନ ବେହେରା କହିଛନ୍ତି।

Share