Categories: ବାଣିଜ୍ୟ

ସିଜିୟୁରେ ଉତ୍କଳ ଷ୍ଟାର୍ଟଅପ୍‌ ସମ୍ମିଳନୀ

ଭୁବନେଶ୍ୱର,୪।୨ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ସି.ଭି.ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ) ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଏକ ଦିନିକିଆ ସମ୍ମିଳନୀ ‘ଉତ୍କଳ ଷ୍ଟାର୍ଟଅପ୍‌ ସମ୍ମିଟ-୨୦୨୪’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ସିଜିୟୁର ଇନ୍‌କ୍ୟୁବେଟର ଅଟଳ ଇନ୍‌କ୍ୟୁବେସନ ସେଣ୍ଟର-ସିଭିଆର୍‌ସିଇଏଫ୍‌ ଏବଂ ସିଭିଆର୍‌ସିଇ ଟିଆଇଏଫ୍‌ (ଟେକ୍ନୋଲୋଜି ଇନ୍‌କ୍ୟୁବେଟର ଫାଉଣ୍ଡେନ)ର ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ବିଶେଷକରି ଉକ୍ତ ଇନ୍‌କ୍ୟୁବେଟରମାନଙ୍କ ସହଯୋଗରେ ୫୦ରୁ ଊର୍ଦ୍ଧ୍ୱ ଷ୍ଟାର୍ଟଅପ୍‌ ୟୁନିଟ୍‌ ଯଥା ବନ୍‌ଭି (BonV), ମୋ ଆମ୍ବୁଲାନ୍ସ, ଅର୍ଗାନୋପୋନିକ୍ସ, ବୋନଭି ଏରୋ, ଆଇଜି ଡ୍ରୋନ୍ସ, ଅର୍ଗାନୋପୋନିକ୍ସ ମେଡ୍‌ଟେଲ, ମୁନିକୋ ଫୁଡ୍ସ, ଶୈଳଜା ଅର୍ଗାନିକ୍ସ, ଇକୋ ସାଥୀ ଏବଂ ନନ୍ଦିଘୋଷ ରୋଡକ୍ସ ଭଳି ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିଥିବା ଷ୍ଟାର୍ଟଅପ୍‌ ୟୁନିଟ୍‌ଗୁଡ଼ିକ ସାମିଲ ହୋଇଥିଲେ। ସେହିପରି ସମ୍ମିଳନୀରେ ସାମିଲ ଅଂଶଗ୍ରହଣକାରୀ ଓ ଅତିଥିମାନେ ବିଶ୍ୱବିଦ୍ୟାଳୟର ଗବେଷଣା, ବ୍ୟବସାୟିକ ଦକ୍ଷତା, ସୃଜନଶୀଳତା ଓ ଅତ୍ୟାଧୁନିକ ଜ୍ଞାନକୌଶଳକୁ ଆକାର ଦେବାର ସାମର୍ଥ୍ୟ ଏବଂ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିବା ସହ ଉକ୍ତ ସମ୍ମିଳନୀ ଉଦ୍ଭାବନ ଓ ଉଦ୍ୟୋଗୀତାର ଏକ ନୂତନ ଦିଗ୍‌ଦର୍ଶନ ପ୍ରଦାନ କରିବ ବୋଲି ଦର୍ଶାଇଥିଲେ।
ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର ଆଲୋଚନା ଚକ୍ରରେ ଉଦ୍ୟୋଗୀ ତଥା ଆରିନ୍‌ କ୍ୟାପିଟାଲ ଆଣ୍ଡ ଥ୍ରୀ ଓ୍ବାନ ଫୋର (3one4)ର ଅଧ୍ୟକ୍ଷ ପଦ୍ମଶ୍ରୀ ଟି.ଭି.ମୋହନ ଦାସ ପାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ଭାରତ ଏକ ଷ୍ଟାର୍ଟଅପ୍‌ ଦେଶ’ଶୀର୍ଷକ ବିଷୟବସ୍ତୁ ଉପରେ ବିସ୍ତୃତ ବକ୍ତବ୍ୟ ପ୍ରଦାନ କରିଥିଲେ।
ସେହିଭଳି ଉକ୍ତ ଆଲୋଚନା ଚକ୍ରରେ ଷ୍ଟାର୍ଟଅପ୍‌ ଇଣ୍ଡିଆ ସିଡ୍‌ ଫଣ୍ଡ କମିଟିର ଚେୟ୍ୟାରମ୍ୟାନ ହର୍କେଶ ମିତ୍ତଲ୍‌, ସିଜିୟୁର ସଭାପତି ସଞ୍ଜୀବ କୁମାର ରାଉତ, ଜେବ୍ରା ଟେକ୍ନୋଲୋଜିର ପୂର୍ବତନ ସିଇଓ ଗୌତମ ଘୋଷ, ଟାଇ ଭୁବନେଶ୍ୱରର ସଭାପତି ଏ.କେ.ମହାନ୍ତି ଏବଂ ଆଇ.ଜି. ଡ୍ରୋନ୍‌ର ପ୍ରତିଷ୍ଠାତା ବୋଧିସତ୍ୱ ସଂଘପ୍ରିୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
ଏହି ଅବସରରେ ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷର ଛାତ୍ର ଏସ୍‌.ଆଦିତ୍ୟ ସିଜିୟୁର ଅଗ୍ରଣୀ ଇନ୍‌-ହାଉସ୍‌ ଏଆର୍‌ଭିଆର ଜରିଆରେ ଅଯୋଧ୍ୟାର ରାମମନ୍ଦିର ଏବଂ ରାମଲାଲାଙ୍କ ଡିଜିଟାଲ ଯୁଗଳଙ୍କୁ ଉପସ୍ଥାପନକରି ଉପସ୍ଥିତ ଦର୍ଶକମାନଙ୍କ ମନରେ ଏକ ଚିରନ୍ତନ ଛାପ ଛାଡ଼ିଯାଇଛନ୍ତି।

Share