Categories: ଜାତୀୟ

ସାପ କାମୁଡ଼ାରେ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ

ନୂଆଦିଲ୍ଲୀ,୧୧।୧୦: ଏକ ବିରଳ ମାମଲାରେ କୋଲାମର ଅତିରିକ୍ତ ସେସନ କୋର୍ଟ ସୋମବାର ସୁରଜ ଏସ୍‌ କୁମାର (୨୮)ଙ୍କୁ ସ୍ତ୍ରୀ ଉଥରାଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ସୁରଜ କୋବ୍ରା ମାଧ୍ୟମରେ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ। ଏହି ମାମଲାରେ ଆସନ୍ତା ୧୩ ତାରିଖରେ କୋର୍ଟ ଦଣ୍ଡାଦେଶ ଶୁଣାଇବେ। ତେବେ ମୃତକଙ୍କ ଓକିଲ ହତ୍ୟାକାରୀଙ୍କୁ ଫାସି ଦଣ୍ଡାଦେଶ ଦେବାକୁ ଦାବି କରିଛନ୍ତି।

ଘଟଣାଟି ହେଲା ୨୦୨୦, ମେ ୭ ତାରିଖର। କେରଳର କୋଲାମ ଜିଲା ଅଞ୍ଚଳସ୍ଥିତ ଘରୁ ମିଳିଥିଲା ଉଥରା (୨୫)ଙ୍କ ମୃତୁଦେହ। ସାପ କାମୁଡ଼ା କାରଣରୁ ତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କୁ କାମୁଡ଼ିଥିବା କୋବ୍ରା ବେଡରୁମ୍‌ରୁ ମିଳିଥିଲା, ଯେଉଁଠାରେ ଉଥରାଙ୍କ ସହ ସ୍ବାମୀ ସୁରଜ ଓ ୯ ମାସ ଛୁଆ ଶୋଇଥିଲେ।

ପ୍ରଥମେ ପୋଲିସ ଏହାକୁ ସାପ କାମୁଡ଼ା ଜନିତ ମୃତ୍ୟୁ ଦର୍ଶାଇ ଅଧିକ କୌଣସି ତଦନ୍ତ କରି ନ ଥିଲା। କିନ୍ତୁ ସେହିବର୍ଷ ମାର୍ଚ୍ଚ ୨ ତାରିଖରେ ଉଥରାଙ୍କୁ ନାଗ ସାପ କାମୁଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଥିଯୋଗୁ ମୃତକଙ୍କ ପରିବାର ଲୋକଙ୍କ ଚାପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ।

ଏସ୍‌ପି ହରିଶଙ୍କରଙ୍କ ନେତୃତ୍ୱାଧୀନ ଦଳର ତଦନ୍ତ ପରେ ଉଥରାଙ୍କ ମୃତ୍ୟୁ ଏକ ଯୋଜନାବଦ୍ଧ ଏକ ହତ୍ୟାକାଣ୍ଡ ଥିଲା ଜଣାପଡ଼ିଥିଲା। ହତ୍ୟାକାଣ୍ଡ ପାଇଁ ଜଣେ ସାପ ଧରାଳିଠାରୁ ଉଭୟ ନାଗ ଓ କୋବ୍ରା କିଣିଥିଲେ ସୁରଜ। ୨୦୨୦ ମାର୍ଚ୍ଚରେ ନାଗ ସାପ କାମୁଡ଼ିବା ପରେ ଉଥରା ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୫୦ ଦିନ ହସ୍ପିଟାଲରେ ରହିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ଦୁଇ ମାସ ପରେ ସେ ପୁଣି ଥରେ ଦୋହରାଇଥିଲେ ସେହି ଭୟଙ୍କର କାର୍ଯ୍ୟକୁ। ତଦନ୍ତକାରୀ ଦଳ କୋର୍ଟରେ ୧ ହଜାର ବିଶିଷ୍ଟ ଚାର୍ଜଶିଟ୍‌ ଦାଖଲ କରିଥିଲା।

Share