ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍ରେ ମଧ୍ୟ ଏହାର ବ୍ୟବହାର କରାଯାଉଛି। ହେଲେ ଗତ କିଛିଦିନ ଧରି ଏକ ଚାର୍ଜକୁ ନେଇ ୟୁପିଆଇ ଚର୍ଚ୍ଚାରେ ରହିଛି। ତାହା ହେଉଛି ପ୍ରିପେଡ୍ ପେମେଣ୍ଟ ଇନ୍ଷ୍ଟୁମେଣ୍ଟ(ପିପିଆଇ)। ନ୍ୟାଶନାଲ ପେମେଣ୍ଟ୍ସ କର୍ପୋରେଶନ ଅଫ୍ ଇଣ୍ଡିଆ(ଏନ୍ପିସିଆଇ) ପିପିଆଇକୁ ଇଣ୍ଟରଅପରେବୁଲ୍ ୟୁପିଆଇ ଇକୋସିଷ୍ଟମ୍ରେ ସାମିଲ କରିବାକୁ ଅନୁମତି ଦେଇଛନ୍ତି। ହେଲେ ଏବେ ଏହି ଚାର୍ଜ କାହାକୁ ଦେବାକୁ ପଡ଼ିବ ତାହା ପ୍ରଶ୍ନ। କ’ଣ ଜଣେ ସାଧାରଣ ଗ୍ରାହକ ୟୁପିଆଇ ପେମେଣ୍ଟ ଲାଗି ଚାର୍ଜ ଦେବ…ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି..ଏଥିଲାଗି ଆସନ୍ତୁ ଜାଣିବା?
ଏନ୍ପିସିଆଇ ନିଜର ସର୍କୁଲାରରେ କହିଛି, ଏପ୍ରିଲ ପହିଲାରୁ ୟୁପିଆଇ ଜରିଆରେ ମର୍ଚାଣ୍ଟ ଟ୍ରାନ୍ଜାକ୍ସନରେ ପିପିଆଇ ଚାର୍ଜ ଲାଗୁ ହେବ। ଏହା ଅନୁଯାୟୀ ୨୦୦୦ ଟଙ୍କାରୁ ଅଧିକ ନେଣଦେଣରେ ୧.୧% ଇଣ୍ଟରଚେଞ୍ଜ ଚାର୍ଜ ଲାଗିବ। ତେବେ ସହଜ ଶବ୍ଦରେ କହିଲେ ପିପିଆଇ ଏକ ପ୍ରକାର ଡିଜିଟାଲ ଓ୍ବାଲେଟ୍, ଯିଏ ୟୁଜର୍ସଙ୍କୁ ଟଙ୍କା ଜମା କରିବାର ସେବା ଦେଇଥାଏ। ପେଟିଏମ୍ ଏବଂ ଫୋନ୍ପେ’ ଭଳି ପେମେଣ୍ଟ ଆପ୍ ଏହି ସେବା ଦେଇଥାଏ।
ଧରି ନିଅନ୍ତୁ କୌଣସି ଗ୍ରାହକ କୌଣସି ଷ୍ଟୋର ନଚେତ ଅନଲାଇନ୍ ୟୁପିଆଇ ଜରିଆରେ ପିପିଆଇ ପେମେଣ୍ଟ କରୁଛି ଏବଂ କ୍ୟୁଆର୍ କୋର୍ଡଟି ଫୋନ୍ ପେ’ର। ତେବେ ଫୋନ ପେ’ ମର୍ଚାଣ୍ଟକୁ ଇଣ୍ଟରଚେଞ୍ଜ ଶୁଳ୍କ ପ୍ରାପ୍ତ ହେବ। ୟୁପିଆଇ ନେଣଦେଣ ମାମଲାରେ ଇଣ୍ଟରଚେଞ୍ଜ ଚାର୍ଜର ଯୋଗଦାନ ମର୍ଚାଣ୍ଟ(ଟଙ୍କା ପାଉଥିବା ବ୍ୟକ୍ତି ନଚେତ ପ୍ରତିଷ୍ଠାନ)ଙ୍କ ବ୍ୟାଙ୍କ ଦ୍ୱାରା ଯୋଗଦାନକର୍ତ୍ତା(ଦେଉଥିବା ବ୍ୟକ୍ତିର) ବ୍ୟାଙ୍କକୁ ଦିଆଯାଇଥାଏ।
ତେବେ ପିପିଆଇ ଓ୍ବାଲେଟ୍ ମଧ୍ୟରେ ପି୨ପି, ପି୨ପିଏମ୍ ଟ୍ରାନ୍ଜାକ୍ସନ ଶୁଳ୍କ ଲାଗୁ ହୋଇ ନ ଥାଏ। ଏଣୁ ସାଧାରଣ ଗ୍ରାହକଙ୍କୁ ନେଣଦେଣ ଅଥବା ବ୍ୟାଙ୍କ ଖାତାରୁ ବ୍ୟାଙ୍କ ଖାତା ଆଧାରିତ ୟୁପିଆଇ ଆଧାରିତ ନେଣଦେଣରେ କୌଣସି ଚାର୍ଜ ଲାଗି ନ ଥାଏ।
କେଉଁଠି କେତେ ଲାଗିବ ଚାର୍ଜ?
-ଯଦି ୟୁଜର୍ସ ୨୦୦୦ ଟଙ୍କାରୁ ଅଧିକ ଟଙ୍କା ନିଜର ଓ୍ବାଲେଟ୍ରେ ରଖିବା ଲାଗି ୟୁପିଆଇ କରନ୍ତି ତେବେ ଶୁଳ୍କ ଲାଗିବ।
-୨୦୦୦ ଟଙ୍କାରୁ ଅଧିକ ନେଣଦେଣ ଲାଗି ଖାତାଧାରୀଙ୍କ ବ୍ୟାଙ୍କକୁ ଓ୍ବାଲେଟ୍-ଲୋଡିଂ ସର୍ଭିସ ଶୁଳ୍କ ରୂପରେ ୧୫ ବେସିସ୍ ପଏଣ୍ଟ(ବିପିଏସ୍) ଦେବାକୁ ହେବ।
-ଇଣ୍ଟରଚେଞ୍ଜ ଶୁଳ୍କ ମଧ୍ୟ ବିଭିନ୍ନ ସେବା ଉପରେ ୦.୫-୧.୧% ମଧ୍ୟରେ ଲାଗୁ ହେବ।