Categories: ଖେଳ

ଉତ୍କଳ ଚାମ୍ପିୟନ, ନିଲ୍‌ସୁ ରନରଅପ୍‌

ଭୁବନେଶ୍ୱର, ୨୬।୪ (କ୍ରୀଡ଼ା ପ୍ରତିନିଧି): ଆଇଆଇଜି ସ୍ପୋଟର୍‌ସ ଏକାଡେମୀ ଆନୁକୂଲ୍ୟରେ ଖୋର୍ଦ୍ଧାର ବରୁଣେଇଠାରେ ଆୟୋଜିତ କେଟି ଗ୍ଲୋବାଲ ସର୍ବଭାରତୀୟ ଓପନ ଫିଡେ ରେଟିଂ ଚେସ୍‌ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଛି। ୯ ରାଉଣ୍ଡ ବିଶିଷ୍ଟ ଟୁର୍ନାମେଣ୍ଟରେ ଓଡ଼ିଶାର ଉତ୍କଳ ରଞ୍ଜନ ସାହୁ ଓ ନିଲ୍‌ସୁ ପଟ୍ଟନାୟକ ଏବଂ ପଶ୍ଚିମବଙ୍ଗର ଆଲେଖ୍ୟ ମୁଖୋପାଧ୍ୟାୟ ଓ ଅର୍ପଣ ଦାସ ୭.୫ ପଏଣ୍ଟ ଲେଖାଏ ପାଇଛନ୍ତି। ତେବେ ବୁକୋଲଜରେ ଉତ୍କଳ ପ୍ରଥମ ଓ ନିଲସୁ ଦ୍ୱିତୀୟ ସ୍ଥାନ ଅଧିକାର କରି ଯଥାକ୍ରମେ ଚାମ୍ପିୟନ ଓ ରନରଅପ୍‌ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାର କୌସ୍ତୁଭ ଦାଶ, ତପନ ବଡ଼ମୁଣ୍ଡି, ପ୍ରିୟାଂଶ ଦାସ, ସାଜନ କୁମାର ନାୟକ ଏବଂ ପଶ୍ଚିମବଙ୍ଗର ଅରିତ୍ରୟ ପାଲ୍‌ ଓ ଉଦ୍ଦୀପନ ରାୟ ଟପ୍‌-୧୦ ଫିନିଶ୍‌ କରିଛନ୍ତି। ଚାମ୍ପିୟନ ଉତ୍କଳଙ୍କୁ ଟ୍ରଫି ସହ ୫୦,୦୦୦, ରନରଅପ୍‌ ନିଲସୁଙ୍କୁ ୩୦,୦୦୦ ଓ ତୃତୀୟ ହୋଇଥିବା ଆଲେଖ୍ୟଙ୍କୁ ୨୦,୦୦୦ ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯାଇଛି। ୨୦ ଖେଳାଳିଙ୍କୁ ମୁଖ୍ୟ ପୁରସ୍କାର ବ୍ୟତୀତ ୧୦୦୦ରୁ ୧୧୯୯, ୧୨୦୦ରୁ ୧୩୯୯, ୧୪୦୦ରୁ ୧୫୯୯ ରେଟିଂ ବର୍ଗରେ ଶ୍ରେଷ୍ଠ ୧୦ ଜଣ ଲେଖାଏ ଏବଂ ୫ ଅଣରେଟେଡ, ୫ ଓଡ଼ିଆ ଖେଳାଳି ଏବଂ ବିଭିନ୍ନ ବୟସ ବର୍ଗରେ ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରାଯାଇଥିଲା।
ଅରାତି ବିଜୟ ମହାନ୍ତିଙ୍କ ସ୍ମୃତିରେ ଆଇଆଇଜି ସ୍ପୋଟର୍‌ସ ଏକାଡେମୀ ଆନୁକୂଲ୍ୟରେ କେଟି ଗ୍ଲୋବାଲ ସ୍କୁଲ ପରିସରରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା। ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ (ଏଓସିଏ) ଓ ସର୍ବଭାରତୀୟ ଚେସ୍‌ ଫେଡେରେଶନର ସ୍ବୀକୃତିପ୍ରାପ୍ତ ଏହି ଟୁର୍ନାମେଣ୍ଟ ପ୍ରତି ଖୋର୍ଦ୍ଧା ଜିଲା ଚେସ୍‌ ଆସୋସିଏଶନର ସମର୍ଥନ ରହିଥିଲା। ଏଥିରେ ଭାଗ ନେଇଥିତ୍ବା ୧୯୦ଙ୍କ ମଧ୍ୟରେ ସିରିୟାର ଜଣେ ଖେଳାଳି ଅଲ୍‌ହାଜାର ମହାଇଦ୍‌ ଆକର୍ଷଣର କେନ୍ଦ୍ରରେ ରହିଥିଲେ। ସେ ୧୨୦୦ରୁ କମ୍‌ ରେଟିଂ ବର୍ଗରେ ୮ମ ସ୍ଥାନରେ ରହିଥିଲେ। ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର ମୁଖ୍ୟ ଅତିଥି ଏବଂ ଏଓସିଏ ସମ୍ପାଦକ ଦେବବ୍ରତ ଭଟ୍ଟ, କେଟି ଗ୍ଲୋବାଲ ସ୍କୁଲ ପ୍ରିନ୍ସିପାଲ ଦୀପ୍‌ ଖାରେ, ଓଡ଼ିଶା କ୍ରିକେଟ ଆସୋସିଏଶନ ଜୁନିୟର ଚୟନ କମିଟି ମୁଖ୍ୟ ପ୍ରଭଜ୍ଞନ ମଲିକ, ଆଇଆଇଜି ଟେକ୍ନୋଲୋଜି ନିର୍ଦ୍ଦେଶକ ନିରଞ୍ଜନ କୁମାର ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ମୁଖ୍ୟ ଆର୍ବିଟର ନିହାର ରଞ୍ଜନ ସାସମଲ ଓ ଡେପୁଟି ଆର୍ବିଟର ଜ୍ୟୋତି ଶଙ୍କର ନନ୍ଦ ଉପସ୍ଥିତ ଥିଲେ।

Share