ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର,୧୩ା୧୧(ବ୍ୟୁରୋ): ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ। ସାଢ଼େ ୪ କୋଟି ଓଡ଼ିଆଙ୍କ ହୃଦୟର ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଏଣିକି ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ। ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରୀଛାତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଏହି କାଳଜୟୀ କୃତୀ ପଢ଼ିବାର ସୁଯୋଗ ପାଇବେ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଶୁକ୍ରବାର ଏ ସଂକ୍ରାନ୍ତରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି
ସୂଚନାଯୋଗ୍ୟ, ନିକଟରେ ରାଜ୍ୟ ସରକାର ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ଗତ ମେ’ ୩୦ରେ ସାରା ରାଜ୍ୟ ତଥା ସାରା ବିଶ୍ବର କୋଣ ଅନୁକୋଣରେ ଥିବା ଓଡ଼ିଆ ଭଉଣୀଭାଇ ଏହି ସଙ୍ଗୀତ ଏକ ସମୟରେ ଗାନ କରି ଭାବମୟ ପରିବେଶ ସୃଷ୍ଟି କରିଥିଲେ।
ଗୌରବମଣ୍ଡିତ ଉତ୍କଳ ଜନନୀଙ୍କ ଜୟଗାନ କରୁଥିବା ଏହି ମହାନ ସଙ୍ଗୀତ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଓଡ଼ିଆ ଜାତୀୟତାର ଭାବକୁ ସୁଦୃଢ଼ କରିବା ସହିତ ଓଡ଼ିଆ ଜାତିର ମହାନତା ସହ ପରିଚିତ କରାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Share