ଉତ୍କଳ ଦଧୀଚି ଭଗବତୀ

ଡ. ହୃଷୀକେଶ ମଲ୍ଲିକ

 

ଭଗବତୀ ଚରଣ ପାଣିଗ୍ରାହୀ ୧୯୦୮ ମସିହା ଫେବୃଆରୀ ପହିଲାରେ ଅବିଭକ୍ତ ପୁରୀ ଜିଲାର ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିତାଙ୍କ ନାମ ସ୍ବପ୍ନେଶ୍ୱର ପାଣିଗ୍ରାହୀ ଓ ମାତାଙ୍କ ନାମ ସରସ୍ବତୀ ଦେବୀ। ଭଗବତୀଙ୍କ ସ୍ବଳ୍ପ ଜୀବିତ ଜୀବନୀକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ସତେ ଯେପରି ସେ ତାଙ୍କ ନିଜ ପାଇଁ ବା ପରିବାର ପାଇଁ ଜନ୍ମି ନଥିଲେ, ଜନ୍ମିଥିଲେ ଦେଶ ପାଇଁ। ଦୀନ ନିପୀଡ଼ିତର ମୁକ୍ତି ପାଇଁ ସାରା ଜୀବନ ସେ ଥିଲେ ସଂଗ୍ରାମଶୀଳ। ସେ ଆଗ ଥିଲେ ମଣିଷ, ପରେ ନେତା। ତାଙ୍କର ସ୍ନେହଦ ଆଚରଣ ଦ୍ୱାରା ସେ ସମସ୍ତ ବନ୍ଧୁ ଓ ସତୀର୍ଥମାନଙ୍କୁ ଆପଣାର କରିପାରିଥିଲେ। ଜନଦୁଃଖ ନିବାରଣରେ ଭଗବତୀ ଥିଲେ ଦ୍ୱିତୀୟ ଗୋପବନ୍ଧୁ। କୁଶଭଦ୍ରା, ଧନୁଆଁ ନଦୀର ବନ୍ୟା ବେଳେ ସେ ନିଜ ଘରୁ, ମାମୁ ଘରୁ ଓ ସମ୍ବଳବାନ ବନ୍ଧୁବାନ୍ଧବଙ୍କ ଘରୁ ଖାଦ୍ୟଶସ୍ୟ ଓ ପିନ୍ଧାଲୁଗା ସଂଗ୍ରହ କରି ଦୁର୍ଗତ ଲୋକଙ୍କ ପାଖରେ ପହଞ୍ଚି ଯାଉଥିଲେ। ସେ ସବୁବେଳେ କହୁଥିଲେ- ”ଲୋକ ବଞ୍ଚିଲେ ସିନା ବିପ୍ଳବ ହେବ, ଲୋକ ଯଦି ନାରଖାର ହୋଇ ମରିବେ, ବିପ୍ଳବ କାହା ପାଇଁ?“
ବିପ୍ଳବ ଏକ ବାୟବୀୟ, ଉଡ଼ାକାଣ୍ଡିଆ ଜିନିଷ ନୁହେଁ, ଦୈନନ୍ଦିନ କାର୍ଯ୍ୟଧାରା ଭିତରୁ ସ୍ବତଃ ଏହା ଜନ୍ମ ନେଇଥାଏ ବ୍ୟକ୍ତି-ମାନସିକତାର ଆଧାରରେ ଓ ତା’ରି ଭିତରେ ପ୍ରତିନିୟତ ପଜା ହେଉଥାଏ। ଚାଇନା ଚିନ୍ତକ ଲି-ସାଓ-ଚି ତାଙ୍କ ପୁସ୍ତକ ”How to be a good communist“ରେ ଏହି ପ୍ରକ୍ରିୟାକୁ ‘Revolutionary tempering’ ବୋଲି କହିଛନ୍ତି। ଭଗବତୀଙ୍କ ପାଇଁ କଥାଟି ବିଶେଷ ଅର୍ଥ ରଖେ। ତାଙ୍କ ମତରେ ଗରିବ, ଖଟିଖିଆଙ୍କ ପାଇଁ ବାଚନିକ ଦରଦର କିଛି ମୂଲ୍ୟ ନାହିଁ। ଯିଏ ସତ୍‌ ବିପ୍ଳବୀ, ତା’ର ଏକ ଅଙ୍ଗୀକାର ଥାଏ। ସଂସ୍କୃତି କହିଲେ ଭଗବତୀ ବୁଝୁଥିଲେ କର୍ମ ସଂସ୍କୃତି (work culture)।
ଭଗବତୀଙ୍କ ବିପ୍ଳବ ବହୁମୁଖୀ ଥିଲା। ଅର୍ଥନୈତିକ ଓ ସାମାଜିକ ସାମ୍ୟ ପାଇଁ ସେ କେବଳ ଲଢୁ ନ ଥିଲେ, ଜାତିଭେଦ ଓ ଅସ୍ଫୃଶ୍ୟତାର ମଧ୍ୟ ଘୋର ବିରୋଧୀ ଥିଲେ। ଏହି କାରଣରୁ ଥିଲେ ଅଧା ଗାନ୍ଧୀ ଓ ଅଧା ମାର୍କ୍‌ସ। ସେ ପିଲାଟି ଦିନରୁ ଭାବୁଥିଲେ ଯେ ନିଖିଳ ବ୍ରହ୍ମାଣ୍ଡରେ ଏକା ହାତଗୋଡ଼, ଏକା ଶରୀର ନେଇ ଜନ୍ମିତ ମଣିଷ ଭାତିଭେଦର ଜଘନ୍ୟ ବିଚାରରେ ଉଚ୍ଚନୀଚ ହୋଇ ସମାଜରେ ରହିବେ କାହିଁକି? ଏକ ଅଛବ କ’ଣ ମଣିଷ ନୁହେଁ? ପୁରୀ ମ୍ୟୁନିସିପାଲିଟିର ପରିମଳ କର୍ମଚାରୀ ସଂଘ ସଭାରେ ବସିଥିବା ବେଳେ ସେମାନଙ୍କ ଦୁଃଖକଷ୍ଟ କଥା ଶୁଣି ସେ ଖୁବ୍‌ ବିଷଣ୍ଣ ହୋଇପଡୁଥିଲେ। ଧନୀଲୋକଙ୍କ ପାଇଖାନାର ବିଷ୍ଠା ବୋଝ ମୁଣ୍ଡରେ ମୁଣ୍ଡାଇ ମେହେନ୍ତର ଘରର ଝିଅବୋହୂମାନେ ନାକରେ ଲୁଗା ଦେଇ ଯାଉଥିବାର ଦୃଶ୍ୟ ତାଙ୍କ ପାଇଁ ଅସହ୍ୟ ଥିଲା। କଣ୍ଡରା, ବାଉରି, ଚମାର, ପାଣ ଓ ଡମ ଆଦି ଦଳିତଙ୍କ ସହ ସେ ନିଜକୁ ଏକାକାର କରିଦେଇଥିଲେ। ପୁରୀର ମାହାର ନେତ୍ରୀ ବେଙ୍ଗ ଦେଈ ଥିଲା ତାଙ୍କର ବେଙ୍ଗଖୁଡ଼ୀ ।
ଭଗବତୀ ତାଙ୍କର ବହୁ ପଠିତ ନିବନ୍ଧ ‘ଅର୍ଥ ଓ ପରମାର୍ଥ’ରେ ଲେଖିଛନ୍ତି: ”ଆମର ଧର୍ମ, ଆମର ନୀତିଶାସ୍ତ୍ର, ଯାହାକୁ ରାଷ୍ଟ୍ର ଶୃଙ୍ଖଳା ବୋଲି ଅନୁମୋଦନ କରେ, ତାହା ବିଶୃଙ୍ଖଳା; ଯାହାକୁ ନ୍ୟାୟ ବୋଲି ପ୍ରତିପାଦନ କରେ, ତାହା ଅନ୍ୟାୟ; ଯାହାକୁ ଚିରନ୍ତନ ବୋଲି ପ୍ରଚାର କରେ, ତାହା ଅନିତ୍ୟ; ଯାହାକୁ ସମଗ୍ର ମାନବ ସମାଜର ସ୍ବାର୍ଥ ବୋଲି କହିଥାଏ, ତାହା କେବଳ ଗୋଟିଏ ଶ୍ରେଣୀର ସ୍ବାର୍ଥ ଏବଂ ଯାହାକୁ ମୁକ୍ତି ବୋଲି ଘୋଷଣା କରିଥାଏ, ତାହା ଦାସତ୍ୱ।“ ଭାଗ୍ୟ, ଅଦୃଷ୍ଟ ଓ କର୍ମଫଳ ଆଦି ଧାରଣା ଉପରେ ଶାଣିତ ଆଘାତ ହାଣି ସେ ତାଙ୍କର ” ଆମ ସମାଜର ମୂଳଦୁଆ“ ପ୍ରବନ୍ଧରେ ଲେଖିଥିଲେ: ”ଆମ ଦେଶର ରୟତ ମନେକରେ, ସେ ଜନ୍ମ ହୋଇଛି ସାରା ଜୀବନ ଖଟିଖଟି ଅନ୍ନ ସଂସ୍ଥାନ କରି ନ ପାରିବା, ତା’ର ତ୍ରୁଟି ଯୋଗୁ ନୁହେଁ କି ଅନ୍ୟର କର୍ତ୍ତୃତ୍ୱ ଯୋଗୁ ନୁହେଁ। ସେଥିପାଇଁ ପୂର୍ବ ଜନ୍ମର କର୍ମଫଳ ଦାୟୀ। ପୂର୍ବ ଜନ୍ମରେ ସେ ବୋଧେ କିଛି ପାପ କରିଥିଲା, ତା’ର ଦଣ୍ଡ ଏ ଜନ୍ମରେ ଭୋଗୁଛି।“ ତାଙ୍କ ମତରେ କାମ ନ କରି ସମାଜ ଉପରେ ଯେଉଁମାନେ ପୋଷି ହୁଅନ୍ତି, ତାଙ୍କଠାରୁ ବଳି ଆଉ କେହି ଅପରାଧୀ ନାହିଁ। ନିଜର ପୋଲାଖିଆ ବୃତ୍ତିକୁ ଚାଲୁ ରଖିତ୍ବା ପାଇଁ ଆଳସ୍ୟପରାୟଣତାକୁ ବଜାୟ ରଖିବା ପାଇଁ ତା’ର ସମାଜରେ ବଞ୍ଚି ରହିବାର ଅଧିକାର ନାହିଁ। ଅଥଚ ଏହି ଶ୍ରେଣୀ ହିଁ ସମାଜରେ ଭଲ ଭାବରେ ବଞ୍ଚେ ଏବଂ ଯେଉଁ ଶ୍ରେଣୀର ସମାଜରେ ବଞ୍ଚିବାର କଥା ସେହି ଶ୍ରମିକ ଶ୍ରେଣୀକୁ ଉପବାସରେ ରହିବାକୁ ହୁଏ। ଏହିପରି ଆତ୍ମବିରୋଧିତା ଉପରେ ପ୍ରତିଷ୍ଠିତ ହୋଇ ଏ ସମାଜ ଆଉ କେତେ କାଳ ତିଷ୍ଠିପାରିବ?“
ସାଧାରଣ ମାମୁଲି ମୂଲ୍ୟବୋଧଠାରୁ ବହୁ ଊର୍ଦ୍ଧ୍ୱରେ ଥିଲା ଭଗବତୀଙ୍କର ସକାରାତ୍ମକ ମୂଲ୍ୟବୋଧ। ଉପେକ୍ଷିତ, ବଞ୍ଚିତ ଓ ଦୁର୍ଗତ ଲୋକଙ୍କୁ ବିକାଶର ଶୀର୍ଷ ସୋପାନରେ ପହଞ୍ଚାଇବା ଥିଲା ତାଙ୍କର ପ୍ରତିବଦ୍ଧ ପ୍ରତିଜ୍ଞା। ଭଗବତୀ ଚରଣଙ୍କ ଜୀବଦ୍ଦଶାରେ ଜାତୀୟ କବି ବୀରକିଶୋର ବ୍ରହ୍ମପୁର ଜେଲରେ ଏକ ବିରଳ ମୁହୂର୍ତ୍ତରେ ଚେତନା ଉଦ୍ଦୀପକ ଏକ କବିତା ଲେଖିଥିଲେ, ଯାହାକୁ କବି ମନମୋହନ ମିଶ୍ର ତାଙ୍କୁ ଜେଲ ଗେଟ୍‌ରେ ଦେଇଥିଲେ। ତା’ର ପ୍ରଥମ ପଦଟି ଥିଲା ଏହିପରି: ”ଆମେ କେତେ ଜଣ ଜୀବନକୁ ପାଣି/ ଛଡ଼ାଇ ନ ଦେଲେ ଚଳିବ କି ?/ ଦଧୀଚିର ହାଡ଼ ଉଜାଡ଼ି ନ ଦେଲେ/ ଏ ଦେଶର ଭାଗ୍ୟ ଫେରିବ କି?“ ଭଗବତୀ ନିଜର ସ୍ନେହାସ୍ପଦ ସତୀର୍ଥ ଯଦୁନନ୍ଦନ ବିଶ୍ୱାଳଙ୍କ ଦ୍ୱାରା କବିତାଟିକୁ ଛପେଇ ନିଜେ ବୋଲୁଥିଲେ ଓ ଅନ୍ୟ ସାଥୀମାନଙ୍କୁ ବୋଲିବାକୁ ଦେଇଥିଲେ। ଜଗତ ହିତରେ ମହର୍ଷି ଦଧୀଚି ନିଜର ଅସ୍ଥି ଦାନ କଲାପରି ନିଜ ଜୀବନକୁ ପାଣି ଛଡ଼େଇ ଆମୃତ୍ୟୁ ସେ ଦୁଃଖୀଜନର ସେବାରେ ସମର୍ପି ଦେଇଥିଲେ। କାରଣ ଏହି ମହାନୁଭବୀ ନେତାଙ୍କର ହୃଦ୍‌ବୋଧ ହୋଇଥିଲା ଯେ ଅଶେଷ ସ୍ବାର୍ଥ ତ୍ୟାଗ ନ କଲେ ଦେଶରୁ ଓ ଓଡ଼ିଶାରୁ ଶୋଷଣକଷଣ ହଟିବ ନାହିଁ। ତାଙ୍କ ମଝିଆ ଭାଇ ବିଶିଷ୍ଟ ଲେଖକ କାଳିନ୍ଦୀଚରଣ ଲେଖିଛନ୍ତି: ”ପାର୍ଟି କଥାଟା ତାଙ୍କଠାରୁ ଶୁଣାଗଲା। ତାଙ୍କର ନିଜର ହୋଇ କିଛି ନାହିଁ, ସବୁ ପାର୍ଟିର ଏହିପରି ଭାବ। ଏହି ଭାବ କ୍ରମେ ତାଙ୍କ ଭିତରେ ଏତେ ପ୍ରବଳ ବେଗରେ କାର୍ଯ୍ୟ କରୁଥିଲା ଯେ ଥରେ ସେ ପ୍ରସ୍ତାବ କଲେ ତାଙ୍କର ଯାହା ପୈତୃକ ଜମିବାଡ଼ି ସବୁ ପାର୍ଟିକୁ ଦାନ କରିବେ। ଯୁକ୍ତି ଛଳରେ କହିଲି ଯେ ସ୍ବ-ଉପାର୍ଜିତ ସମ୍ପତ୍ତିକୁ ଘେନି ଏଭଳି ପ୍ରସ୍ତାବ କରାଯାଇପାରେ। ମାତ୍ର ପୈତୃକ ସମ୍ପତ୍ତି ଉପରେ ତାଙ୍କର ଯେଉଁ ଅଧିକାର, ତାଙ୍କ ସନ୍ତାନସନ୍ତତିମାନଙ୍କର ମଧ୍ୟ ସେହି ଅଧିକାର।“ ମୃଦୁ ହସି ଭଗବତୀ କହିଲେ, ତାହେଲେ ପାର୍ଟି ସକାଶେ ତୁମକୁ କିଛି ଦେବାକୁ ହେବ। ଉତ୍ତର ଦେଲି-”ମୁଁ ଆଉ କ’ଣ ଦେବି। ମୋହର ଭାଇକୁ ଯେ ଦେଇସାରିଛି। ଯାହାର ମୂଲ୍ୟ କୌଣସି ଅର୍ଥ ଦ୍ୱାରା ନିରୂପଣ କରାଯାଇପାରିବ ନାହିଁ।“
୧୯୪୩ ଅକ୍ଟୋବର ୨୩ ତାରିଖ ପାହାନ୍ତାରେ ମାତ୍ର ୩୫ ବର୍ଷ ବୟସରେ ଭଗବତୀଙ୍କର ଜୀବନଦୀପ ଅକାଳରେ ଲିଭିଗଲା। କିନ୍ତୁ ମୃତ୍ୟୁର ୮୦ବର୍ଷ ପରେ ମଧ୍ୟ ତାଙ୍କର କାର୍ଯ୍ୟ ଓ ଆଦର୍ଶ ବଞ୍ଚତ୍ରହିଛି; ସେ ଜିଇ ଥିଲାବେଳେ ଯେପରି ଥିଲା ତତୋଽଧିକ ପ୍ରେରଣାଦାୟୀ ହୋଇ। ତାଙ୍କ ମୃତ୍ୟୁରେ ଅଧୀର କବି ମାୟାଧର ମାନସିଂହ ଲେଖିଥିଲେ: ”ସବୁ ସୁଖ ଫିଙ୍ଗିଦେଇ ଦୁର୍ଗତଙ୍କ ପାଇଁ/ ଯେ ସାଧନା କରୁଥିଲ ନିଜ ରକ୍ତ ଦେଇ ,/ ସେ ବ୍ରତର ଉଦ୍‌ଯାପନ ହୋଇଛି କି ବନ୍ଧୁ?/ ଖସିଛି କି ଅତୀତର ବୋଝ ଶୂଦ୍ର ସ୍କନ୍ଧୁ ?/ ହେ ବ୍ରାହ୍ମଣ ଶୂଦ୍ର ଲାଗି ଫିଙ୍ଗି ଉପବୀତ/ ହୋଇଥିଲ ଯେ ଆଦର୍ଶ ସାଥେ ପରିମାତ।/ ଯେ ଯେ ଦୂରେ, ସେ ଯେ ଦୂରେ!/ ଆଣି ଅଧା ପଥେ/ ଛାଡ଼ି ଚାଲିଗଲ, ଆମେ ଚାହିଁଛୁ ସମସ୍ତେ।“
ମୋ: ୯୮୫୩୨୮୭୭୫୫


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଡରାଉଛି

ଚାଇନା ୧ ଦଶନ୍ଧରୁ ଅଧିକ ସମୟ ଧରି ଦକ୍ଷିଣ ଚାଇନା ସାଗରରେ ନିଜର ଶକ୍ତି ଏବଂ ପ୍ରଭାବ ବଢ଼ାଇବା ପାଇଁ ଆକ୍ରମଣାତ୍ମକ ରଣନୀତି ପ୍ରୟୋଗ କରିଆସୁଛି।...

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri