Advertisement

ଉତ୍କଳିକାର ୱେବ୍‌ସାଇଟ୍‌ ଲୋକାର୍ପିତ

ଭୁବନେଶ୍ୱର, ୫।୬(ବ୍ୟୁରୋ): କରୋନା ପରିସ୍ଥିତି ପାଇଁ ବର୍ଷେ ହେବ ଓଡ଼ିଶାର ବିଭିନ୍ନ ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପକୁ ଆଧାର କରି ଜୀବିକା ନିର୍ବାହ କରୁଥିବା ବ୍ୟବସାୟୀମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। ତେଣୁ ହସ୍ତତନ୍ତ, ବୟନ ଶଳ୍ପ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଉତ୍କଳିକା ଅନ୍‌ଲାଇନ୍‌ ମାଧ୍ୟମରେ ନିଜ ଉତ୍ପାଦର ବିକ୍ରୟ କରିବାକୁ ନିଜସ୍ବ ୱେବ୍‌ସାଇଟ୍‌ ଆରମ୍ଭ କରିଛି। ଶୁକ୍ରବାର ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ ଗୁଗଲ୍‌ ମିଟ୍‌ ମାଧ୍ୟମରେ ଓ୍ବେବ୍‌ସାଇଟ୍‌ www.utkalikaodisha.comକୁ ଲୋକାର୍ପଣ କରିଛନ୍ତି। ଏଣିକି ଏହି ଓ୍ବେବ୍‌ସାଇଟ୍‌କୁ ଲଗ୍‌ ଇନ୍‌ କରି କିମ୍ବା ଗୁଗଲ ପ୍ଲେ ଷ୍ଟୋର୍‌ରୁ ଉତ୍କଳିକା ଆପ୍‌ ଡାଉନ୍‌ଲୋଡ୍‌ କରି ପସନ୍ଦ ମୁତାବକ ହସ୍ତତନ୍ତ ଶାଢ଼ି ଓ ଅନ୍ୟାନ୍ୟ ସାମଗ୍ରୀ ଅର୍ଡର କରିପାରିବେ। ଏହାଦ୍ୱାରା ଉଭୟ ହସ୍ତଶିଳ୍ପୀ ଓ ଗ୍ରାହକମାନେ ଉପକୃତ ହେବା ସହ ଉତ୍କଳିକା ତା’ର ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବ ବୋଲି ଆଶା ରଖିଛି।
ସୂଚନାନୁସାରେ, ବର୍ତ୍ତମାନ ସମ୍ବଲପୁରୀ ଶାଢ଼ି ସହିତ ପଟ୍ଟଚିତ୍ର ଶାଢ଼ି, ରଘୁରାଜପୁର ପଟ୍ଟଚିତ୍ର, ଜନଜାତି ଅଳଙ୍କାର ଓ ଓଡ଼ିଶା ଗହଣା ଆଦି ବିକ୍ରୟ ପାଇଁ ରହିଛି। ଆଗାମୀ ଦିନରେ ଓଡ଼ିଶା କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ସାମଗ୍ରୀ ଏହି ୱେବ୍‌ସାଇଟ୍‌ରେ ଉପଲବ୍ଧ କରାଯିବ। ଉତ୍କଳିକା ମାଧ୍ୟମରେ କାରିଗରଙ୍କ ଉତ୍ପାଦଗୁଡ଼ିକ ଆହୁରି ଅଧିକରୁ ଅଧିକ ଲୋକାଭିମୁଖୀ ହେବାର ସୁଯୋଗ ରହିବ। ସେହିଭଳି ଏହା ମାଧ୍ୟମରେ ଉତ୍କଳିକା ଗ୍ରାହକଙ୍କ ଚାହିଦା ମୁତାବକ ଉତ୍ପାଦଗୁଡ଼ିକର ଆହୁରି ଆଧୁନିକୀକରଣ ଓ ଯୁଗୋପଯୋଗୀ କରିପାରିବ। ଏହି ଲୋକାର୍ପଣ ଉତ୍ସବରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ କମିଶନର ତଥା ଶାସନ ସଚିବ ଶୁଭା ଶର୍ମା, ଅତିରିକ୍ତ ଶାସନ ସଚିବ ସରୋଜ କୁମାର ପଟେଲ, ହସ୍ତ ଓ କୁଟୀରଶିଳ୍ପ ନିର୍ଦ୍ଦେଶକ ସନାତନ ନାୟକ, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା ସ୍ବୟଂପ୍ରଭା ମୁଦୁଲି, ଶିଳ୍ପ ବିକାଶ ଅଧିକାରୀ ରଶ୍ମିରେଖା, ହସ୍ତଶିଳ୍ପ ବିକାଶ ଅଧିକାରୀ ପଦ୍ମିନୀ ମିଶ୍ର, ପ୍ରୀତୀଶ କୁମାର ବେହେରା ପ୍ରମୁଖ ଭର୍ଚୁଆଲରେ ଯୋଗଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share