Categories: ଜାତୀୟ

ଟିକେଟ ଦେଲାନି ଭାଜପା, ସ୍ବାଧୀନ ଭାବେ ଲଢ଼ିବେ ପାରିକରଙ୍କ ପୁଅ ଉତ୍ପଳ

ପାଣାଜୀ,୨୧।୧: ଗୋଆ  ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ବିଧାନସଭା ନିର୍ବାଚନ ଲଢ଼ିବେ। ଭାଜପା ତାଙ୍କୁ ସ୍ବର୍ଗତ ପାରିକରଙ୍କ ଗଡ଼ ଭାବେ ପରିଚିତ ପାଣାଜୀରୁ ଟିକେଟ ଦେବ ବୋଲି ଉତ୍ପଳ ଆଶା କରିଥିଲେ। ହେଲେ ଦଳରୁ ନିରାଶ ହେବା ପରେ ଏବେ ସେ ସ୍ବାଧୀନ ଭାବେ ଏହି ଆସନରୁ ପ୍ରାର୍ଥୀ ହେବାକୁ ଶୁକ୍ରବାର ଘୋଷଣା କରିଛନ୍ତି।

ଖବରଦାତା ସମ୍ମିଳନୀ କରି ଉତ୍ପଳ କହିଛନ୍ତି, ଦୀର୍ଘ ଦୁଇ ଦଶନ୍ଧି ଧରି ମନୋହର ପାରିକର ପାଣାଜୀରୁ ନିର୍ବାଚନ ଲଢ଼ିଥିଲେ। ପାଣାଜୀ ସହ ତାଙ୍କର ନିବିଡ଼ତା ରହିଥିଲା। ମୁଁ ମଧ୍ୟ ପାଣାଜୀବାସୀଙ୍କ ସହ ଜଡ଼ିତ। ତେଣୁ ଏଠାରୁ ମୁଁ ନିର୍ବାଚନ ଲଢ଼ିବି। ମୁଁ ମୋ ଦଳକୁ ବୁଝାଇବାକୁ ଚେଷ୍ଟା କରିଥିଲି। ମୁଁ ନିର୍ବାଚନ ଲଢ଼ିବାକୁ ଚାହୁଁଥିବା କହିଥିଲି। ଏହା ସତ୍ତ୍ୱେ ମୋତେ ପ୍ରାର୍ଥୀ କରାଗଲା ନାହିଁ। ଭାଜପା କିମ୍ବା ସ୍ବାଧୀନ ଭାବେ ଲଢ଼ିବାକୁ ମୋ ପାଖରେ ଦୁଇଟି ବିକଳ୍ପ ଥିଲା। ଏଣୁ ମୁଁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି।

ପ୍ରକାଶ ଯେ, ଫେବୃଆରୀ ୧୪ରେ ଗୋଆର ସମସ୍ତ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବ। ମାର୍ଚ୍ଚ ୧୦ରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Share