କୁଣ୍ଡବନ୍ଧର ମୂଲ୍ୟବାନ ଗଛ କାଟିନେଲେ ଦୁର୍ବୃତ୍ତ

ପୋଲସରା,୧୩ା୧(ଡି.ଏନ.ଏ.): ପୋଲସରା ଏନ୍‌ଏସିସ୍ଥିତ ପାଟିଗଡ଼ ଯିବା ରାସ୍ତାରେ ବହୁ ପୁରାତନ କୁଣ୍ଡବନ୍ଧ ପୋଖରୀର ଚାରିପଟେ ଥିବା ବହୁ ମୂଲ୍ୟବାନ ଗଛଗୁଡ଼ିକୁ ସ୍ଥାନୀୟ ଅଞ୍ଚଳର କିଛି ଜମି ମାଫିଆ କାଟି ନେଇଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲସରା ଏନ୍‌ଏସି ପକ୍ଷରୁ କୁଣ୍ଡବନ୍ଧ ପୋଖରୀର ଉନ୍ନତି ଏବଂ ଏହାର ସୌନ୍ଦର୍ଯ୍ୟକରଣ ବିକାଶ ପାଇଁ ପ୍ରସ୍ତାବ ଆଗତ ହୋଇଥିବା ଜଣାପଡିଛି। ହେଲେ ଏଭଳି ସ୍ଥିତିରେ ଜଙ୍ଗଲ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ଏହି କୁଣ୍ଡବନ୍ଧ ପୋଖରୀ ଚାରିପଟେ ଥିବା ଜମି ଉପରେ ପଡ଼ିଛି। ଏପରି କି କିଛି ଦୁର୍ବୃତ୍ତ ନିଜର ମାଲିକାନା ହକ୍‌ ଜାହିର କରି ସେହି କୁଣ୍ଡବନ୍ଧ ଜମିକୁ ବିକ୍ରି କରୁଥିବା ଜଣାପଡିଛି। ଏଭଳି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣ ଲୋକ ଦାବି କରିଛନ୍ତି। ଅନ୍ୟପଟେ କୁଣ୍ଡବନ୍ଧ ପୋଖରୀ ସୁରକ୍ଷା ଏବଂ ମୂଲ୍ୟବାନ ଗଛକଟାକୁ ନେଇ ଦାୟିତ୍ୱରେ ଥିବା ଉଭୟ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।