ଜୟ ଜଗନ୍ନାଥ, ରସଗୋଲା ଆମର…

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରସଗୋଲା କାହାର? ଓଡ଼ିଶାର ନା ପଶ୍ଚିମବଙ୍ଗର? ଏହାକୁ ନେଇ ପୂର୍ବରୁ ଅନେକ ବିତର୍କ ହୋଇଆସୁଛି। ଗୋଟିଏ ପଟେ ଓଡ଼ିଶାବାସୀ ରସଗୋଲା ଆମର ବୋଲି କହୁଥିବା ବେଳେ ପଶ୍ଚିମବଙ୍କକୁ ଜିଆଇ ଟ୍ୟାଗ୍‌ ମିଳିସାରିଛି। ହେଲେ ଏବେ ପୁଣି ଚର୍ଚ୍ଚାରେ ଏହି ରସଗୋଲା ବିବାଦ। ପ୍ରଶ୍ନ କାହାର ଏହି ରସଗୋଲା। ଏକ ଜାତୀୟ ଗଣମାଧ୍ୟମର ରିଆଲିଟି ଶୋ’ ‘ସାରେଗାମାପା’ ଅଡିସନ ମୁମ୍ବାଇରେ ଆୟୋଜିତ ହୋଇଥିଲା। ଏଥିରେ ଭାଗନେଇ କଟକର ଜଣେ ଝିଅ ରସଗୋଲା କାହାର ଚର୍ଚ୍ଚାକୁ ବଢ଼ାଇ ଦେଇଛନ୍ତି।

ଯୁବତୀଜଣଙ୍କ ହେଲେ ସ୍ଥିତିପଦ୍ମା ଦାସ। ସାରେଗାମାପା ଅଡିସନରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ବିଚାରପତି ଆସନରେ ବସିଥିବା ଜଜ୍‌ମାନେ ଏକ ପ୍ରଶ୍ନ ପଚାରିଥିଲେ। ସେଇଟି ଥିଲା ରସଗୋଲା କାହାର। ଜବାବରେ କେହି କେହି ବେଙ୍ଗଲର ତ କେହି କେହି ଓଡ଼ିଶାର ବୋଲି କହିଥିଲେ। ହେଲେ ସ୍ଥିତିପଦ୍ମାଙ୍କୁ ଏନେଇ ପଚରାଯିବାରେ ସେ ନିଜସ୍ବ ଶୈଳୀରେ କହିଥିଲେ ‘ଜୟ ଜଗନ୍ନାଥ, ରସଗୋଲା ଆମର’। ଏହାଶୁଣି ଜଜ୍‌ ହିମେଶ ରେସମିଆ ପୁଣି ପଚାରିଥିଲେ, ରସଗୁଲ୍ଲା ତ ବେଙ୍ଗଲର ବୋଲି କୁହାଯାଉଛି। ଜବାବରେ ସେ କହିଥିଲେ, ସେ ନେଇ ବେଶି କହିବାକୁ ଚାହୁଁନାହିଁ। ତେବେ ରସଗୁଲ୍ଲା କଥା ଜାଣିନାହିଁ, ରସଗୋଲା କିନ୍ତୁ ଆମର’। ଓଡ଼ିଆ ଭାଷାରେ ତାଙ୍କର ଏହି ଜବାବ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଥିବା ବେଳେ ସେଠାରେ ଉପସ୍ଥିତ ଥିବା ଜଜ୍‌ମାନେ ଚୁପ୍‌ ହୋଇଯାଇଥିଲେ। ଏବେ ଏହାକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି ସେ।

Share