Categories: ଖେଳ

ଉତ୍ତର ପ୍ରଦେଶ ଚାମ୍ପିୟନ

ଭୁବନେଶ୍ୱର, ୧୬ା୯(ବିଜୟ ରଣା): ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ, ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଏବଂ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)ର ମିଳିତ ଆନୁକୂଲ୍ୟରେ ଚାଲିଥିବା ଜାତୀୟ ଜୁନିୟର ବାଳକ ଫୁଟ୍‌ବଲ ଚାମ୍ପିୟନଶିପ୍‌ ବି.ସି. ରୟ ଟ୍ରଫି ୨୦୨୩ର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୧୬ଟି ରାଜ୍ୟ ଦଳ ଭାଗ ନେଇଥିଲେ। ସ୍ଥାନୀୟ କ୍ୟାପିଟାଲ ଫୁଟ୍‌ବଲ ଆରେନାଠାରେ ଶୁକ୍ରବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ପଶ୍ଚିମବଙ୍ଗକୁ ୨-୧ ଗୋଲ୍‌ରେ ପରାସ୍ତ କରି ଉତ୍ତର ପ୍ରଦେଶ ଚାମ୍ପିୟନ ହୋଇଛି। ବିଜୟୀ ଦଳ ପକ୍ଷରୁ ନିରଞ୍ଜନ ଜଙ୍ଗ ଶାହି (୩୧ତମ ମିନିଟ) ଓ କୁଲଦୀପ ସିଂ (୮୦ତମ) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିବା ବେଳେ ପଶ୍ଚିମବଙ୍ଗ ପକ୍ଷରୁ ତନବୀର ଦେ ଏକମାତ୍ର ଗୋଲ୍‌ ୭୦ତମ ମିନିଟ୍‌ରେ ସ୍କୋର କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ମୁଖ୍ୟଅତିଥି ଏବଂ ବିଭାଗୀୟ ଯୁଗ୍ମ ସଚିବ ବିଜୟାନନ୍ଦ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫାଓର କର୍ମକର୍ତ୍ତାଗଣ ଯଥା ଉପସଭାପତି ବିଜୟ ଦାସ ଓ ଦିଲୀପ କୁମାର ସାହୁ, ଯୁଗ୍ମ ସମ୍ପାଦକ ଅଭିଜିତ ପାଲ୍‌ ଓ ଶହିଦ ଜବାର, ବୈଷୟିକ ନିର୍ଦ୍ଦେଶକ ସୁରଜିତ ଘୋଷ ଏବଂ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ।

Share