Categories: ଜାତୀୟ

ଟାର୍ଗେଟ ବୁଲ୍‌ଡୋଜର ମାମଲା, ସୁପ୍ରିମ୍‌କୋର୍ଟରେ ଜବାବ ଦାଖଲ କଲେ ଉତ୍ତରପ୍ରଦେଶ ସରକାର…

ନୂଆଦିଲ୍ଲୀ, ୧୩।୭ : ଉତ୍ତରପ୍ରଦେଶରେ ହୋଇଥିବା ବୁଲ୍‌ଡୋଜର ମାମଲାରେ ସୁପ୍ରିମ୍‌କୋର୍ଟ ମଧ୍ୟବର୍ତ୍ତୀକାଳୀନ ରାୟ ଦେବାକୁ ମନା କରିଛନ୍ତି। ଏହା ସହିତ ଶୀର୍ଷକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୦ରେ କରିବାକୁ ତାରିଖ ସ୍ଥିର କରିଛନ୍ତି। ଜମିୟତ୍‌-ଉଲେମା-ଇ-ହିନ୍ଦ୍‌ ପକ୍ଷରୁ ଏନେଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିରୋଧରେ ଟାର୍ଗେଟ ବୁଲ୍‌ଡୋଜର ମାମଲା ଦାଖଲ କରାଯାଇଥିଲା। ସରକାର ବିନା କୌଣସି ଆଇନଗତ ପ୍ରକ୍ରିୟାରେ ଏଭଳି କରୁଥିବା ଆବେଦନରେ ଅଭିଯୋଗ କରାଯାଇଥିଲା।

ଏନେଇ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଛି ଯେ, ବେଆଇନ ନିର୍ମାଣକୁ ଭଙ୍ଗା ଯାଇଛି। ଏନେଇ ଆଇନଗତ ପ୍ରକ୍ରିୟାର ପାଳନ କରାଯାଇଛି। ବେଆଇନ ନିର୍ମାଣକାରୀଙ୍କୁ ପୂର୍ବରୁ ନୋଟିସ୍‌ ଜାରି କରାଯାଇଥିବା ସରକାର କହିଛନ୍ତି।

ଶୁଣାଣି ସମୟରେ ଜମିୟତ୍‌-ଉଲେମା-ଇ-ହିନ୍ଦ୍‌ ପକ୍ଷରୁ ଉପସ୍ଥିତଥିବା ବରିଷ୍ଠ ଆଇନଜୀବୀ ସିୟୁ ସିଂ ଏକ ନିର୍ଦ୍ଦିଷ୍ଟ ସମୁଦାୟଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାଉପରେ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ଆପତ୍ତି ଉଠାଇଥିଲେ। ସେ କହିଥିଲେ କୌଣସି ସମୁଦାୟ ଭିନ୍ନ ନୁହନ୍ତି। ବରଂ ସଭିଏଁ ଭାରତୀୟ ସମୁଦାୟ।

ଜମିୟତ୍‌-ଉଲେମା-ଇ-ହିନ୍ଦ୍‌ ପକ୍ଷରୁ କୁହାଯାଇଥିଲା ଯେ, କାନପୁର ଏବଂ ପ୍ରୟାଗରାଜରେ ହିଂସକ ପ୍ରଦର୍ଶନ ପରେ ଟାର୍ଗେଟ କରି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ସୋଲିସିଟର ଜେନେରାଲ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ।

Share