Categories: ଜାତୀୟ

ଉତ୍ତରପ୍ରଦେଶର ସ୍ବାସ୍ଥ୍ୟସେବା ସବୁଠୁ ଖରାପ

ନୂଆଦିଲ୍ଲୀ, ୨୭ା୧୨: ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ପ୍ରଦାନ କରିବାରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ କେରଳ ସର୍ବୋତ୍ତମ। ସାମଗ୍ରିକ ସ୍ବାସ୍ଥ୍ୟସେବାରେ ମଧ୍ୟ କେରଳ ସବୁଠୁ ଭଲ ପ୍ରଦର୍ଶନ କରିଛି। ଉତ୍ତରପ୍ରଦେଶରେ ଏହି ସେବା ସବୁଠାରୁ ଖରାପ ରହିଛି। ତାମିଲନାଡ଼ୁ ଏବଂ ତେଲଙ୍ଗାନା ସ୍ବାସ୍ଥ୍ୟ ପାରାମିଟରରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ନୀତି ଆୟୋଗର ଚତୁର୍ଥ ପର୍ଯ୍ୟାୟ ସ୍ବାସ୍ଥ୍ୟ ସୂଚକାଙ୍କରୁ ଜଣାପଡ଼ିଛି। ୨୦୧୯-୨୦ ବର୍ଷରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ବଡ଼ ଓ ଛୋଟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଦର୍ଶନ ଆଧାରରେ ରିପୋର୍ଟକୁ ୩ ଭାଗରେ ବିଭକ୍ତ କରାଯାଇଛି। ତାଲିକାରେ ଓଡ଼ିଶାର ପ୍ରଦର୍ଶନ ମଧ୍ୟ ନିରାଶଜନକ ରହିଛି। ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ତଳଆଡ଼ୁ ତୃତୀୟ ସ୍ଥାନରେ ରହିଛି।

ସରକାରୀ ଥିଙ୍କ୍‌ ଟ୍ୟାଙ୍କ୍‌ ରିପୋର୍ଟ ଅନୁସାରେ, ସାମଗ୍ରିକ ପ୍ରଦର୍ଶନରେ ବିହାର ଓ ମଧ୍ୟପ୍ରଦେଶର ସ୍ଥିତି ମଧ୍ୟ ଭଲନାହିଁ। ଛୋଟ ରାଜ୍ୟଗୁଡ଼ିକ ମଧ୍ୟରେ ମିଜୋରାମ ସବୁଠୁ ଭଲ ପ୍ରଦର୍ଶନ କରିଥିବାବେଳେ ନାଗାଲାଣ୍ଡ ତାଲିକାର ନିମ୍ନରେ ରହିଛି। କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଚଣ୍ଡିଗଡ଼ ଶୀର୍ଷରେ ରହିଥିବାବେଳେ ଏହା ତଳକୁ ଦାଦ୍ରା ଏବଂ ନଗର ହାବେଳି ଦ୍ୱିତୀୟ ଏବଂ ତୃତୀୟରେ ଦିଲ୍ଲୀ ରହିଛି। ପୁଡ଼ୁଚେରୀ ଏବଂ ଜମ୍ମୁ-କଶ୍ମୀର ସାମଗ୍ରିକ ପ୍ରଦର୍ଶନରେ ତାଲିକାର ତଳେ ରହିଛନ୍ତି। ୨୦୧୮-୧୯ ତୁଳନାରେ ଉତ୍ତରପ୍ରଦେଶର ସ୍ବାସ୍ଥ୍ୟ ମାନକରେ ସୁଧାର ଆଣିବାରେ ଏକ ନମ୍ବର ରାଜ୍ୟ ହୋଇପାରିଛି। ରାଜସ୍ଥାନ ଉଭୟ ସାମଗ୍ରିକ ପ୍ରଦର୍ଶନ ଏବଂ ସ୍ବାସ୍ଥ୍ୟସେବା ସୁଧାର ମାନକରେ ଖରାପ ପ୍ରଦର୍ଶନ କରିଛି। ଛୋଟ ରାଜ୍ୟଗୁଡ଼ିକରେ ମିଜୋରାମ ସହ ତ୍ରିପୁରା ମଧ୍ୟ ଭଲ ସ୍ଥାନରେ ରହିଛି। ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ମଧ୍ୟ ସେମାନଙ୍କ ସ୍ବାସ୍ଥ୍ୟସେବା ପ୍ରଦାନରେ ଉନ୍ନତି କରିଛନ୍ତି।
ସ୍ବାସ୍ଥ୍ୟ ସୂଚକାଙ୍କ ସ୍କୋର ଅନୁସାରେ, ୨୦୧୯-୨୦ ବର୍ଷରେ ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ କେରଳକୁ ସର୍ବାଧିକ ୭୪.୬୫ ନମ୍ବର ମିଳିଛି। ଏହା ତଳକୁ ଆନ୍ଧ୍ର ପ୍ରଦେଶକୁ ୬୫.୩୧, ମହାରାଷ୍ଟ୍ରକୁ ୬୪.୫୩, ଗୁଜରାଟକୁ ୬୩.୭୨, ପଞ୍ଜାବକୁ ୬୩.୪୧, ହିମାଚଳ ପ୍ରଦେଶକୁ ୬୩.୧୦ ନମ୍ବର ଦିଆଯାଇଛି। ଏହି ତାଲିକାର ସବୁଠୁ ତଳେ ଥିବା ଉତ୍ତରପ୍ରଦେଶ ୨୯.୧୬ ସ୍କୋର କରିଥିବାବେଳେ ବିହାର ୩୨.୪୩, ଓଡ଼ିଶା ୩୬.୩୫, ମଧ୍ୟପ୍ରଦେଶ ୩୮.୬୯, ଉତ୍ତରାଖଣ୍ଡ ୩୯.୬୧ ନମ୍ବର ହାସଲ କରିଛି।

Share