Categories: ଖେଳ

ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ବିଜୟୀ

ରାଉରକେଲା ଅଫିସ/ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୨୫।୫: ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ଜାତୀୟ ସବ୍‌ଜୁନିୟର ପୁରୁଷ ହକିର ବୁଧବାର ଅନୁଷ୍ଠିତ ମ୍ୟାଚରେ ଉତ୍ତର ପ୍ରଦେଶ ଓ ଝାଡ଼ଖଣ୍ଡ ଦଳ ବିଜୟୀ ହୋଇଛି। ଦିବସର ପ୍ରଥମ ମ୍ୟାଚରେ ଉତ୍ତର ପ୍ରଦେଶ ୫-୦ ଗୋଲରେ କର୍ନାଟକକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ସତ୍ୟମ ପାଣ୍ଡେ ୨ୟ ଓ ୧୪ଶ ମିନିଟରେ ୨ଟି ଏବଂ କେତନ କୁଶଓ୍ବା ୧ମ, ରାହୁଲ ଯାଦବ ୨୧ ଓ ଅଧିନାୟକ ଅଜିତ ଯାଦବ ୫୮ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଦ୍ୱିତୀୟ ମ୍ୟାଚରେ ଝାଡ଼ଖଣ୍ଡ ୬-୧ ଗୋଲରେ ବେଙ୍ଗଲକୁ ହରାଇ ଦେଇଛି। ଝାଡ଼ଖଣ୍ଡ ପକ୍ଷରୁ ଫଗୁଓ୍ବା ହୋରୋ ୨୦ ଓ ୩୪ ମିନିଟରେ ୨ଟି ଏବଂ ଜୋଲେନ ଟପ୍ନୋ ୫, ବିକ୍ରମ ସୋରେଙ୍ଗ ୧୬, ନିକୋଲାସ ଟପ୍ନୋ ୨୨ ଓ ଅଙ୍କିତ୍‌ ଏକ୍କା ୪୪ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ବେଙ୍ଗଲ ପକ୍ଷରୁ ବିଷ୍ଣୁ ପାସଓ୍ବାନ ୫୩ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ।

ଓଡ଼ିଶାର ଦ୍ୱିତୀୟ ବିଜୟ

ମଙ୍ଗଳବାର ଅନୁଷ୍ଠିତ ଏକ ମ୍ୟାଚରେ ଓଡ଼ିଶା ୧୨-୦ ଗୋଲରେ ଉତ୍ତରାଖଣ୍ଡକୁ ପରାସ୍ତ କରିଥିଲା। ଓଡ଼ିଶାର ଏହା ଦ୍ୱିତୀୟ ବିଜୟ ଥିଲା। ପୁଲ୍‌ ‘ସି’ର ଏହି ମ୍ୟାଚରେ ଦଳ ପକ୍ଷରୁ ଦେଓନାଥ ନାନ୍‌ଓ୍ବାର ୧୨, ୩୩, ୪୭, ୪୮ ଓ ୫୮ତମ ମିନିଟରେ ଏକାକୀ ୫ଟି ଗୋଲ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୀପକ ପ୍ରଧାନ ୨୭ ଓ ୩୭ ମିନିଟରେ ୨ଟି ଏବଂ ବିଲକାନ ଓରାମ ୨୧, ୟୋଜିନ ମିଞ୍ଜ୍‌ ୩୫, ରୋହିତ କୁଲୁ ୪୩, ପ୍ରଦୀପ ମଣ୍ଡଳ ୪୯ ଓ ସୁରେଶ ଶର୍ମା ଅଧିକାରୀମାୟୁମ୍‌ ୫୩ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ।

Share