Categories: ଜାତୀୟ

ଆନ୍ଦୋଳନକାରୀ ଚାଷୀଙ୍କ ଉପରେ ଗାଡି ଚଢାଇଦେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ: ୪ ଜୀବନ ଚାଲିଗଲା

ଲକ୍ଷ୍ନୌ,୩।୧୦: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀର ତିକୁନିଆ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆନ୍ଦୋଳନକାରୀ ଚାଷୀଙ୍କ ଉପରେ ଗାଡି ଚଢାଇଦେଇଛନ୍ତି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ। ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୮ ଜଣ ଚାଷୀ ଗୁରୁତର ହୋଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକେ ମନ୍ତ୍ରୀଙ୍କ ତିନୋଟି କାର୍‌ରେ ନିଆଁ ଲଗାଇ ଦେଇଛନ୍ତି। କୃଷକମାନେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଏହାସହ ଉତ୍ତ୍ୟକ୍ତ ଲୋକେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେଇଛନ୍ତି। ଭାଜପା ନେତାଙ୍କୁ ବିକ୍ଷୋଭକାରୀ ଚାଷୀମାନେ ମାଡ ମଧ୍ୟ ମାରିଥିବା ଜଣାପଡିଛି। ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଛି।
ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଟେନି ଲକ୍ଷ୍ମୀପୁର ଖେରି ଜିଲାରେ ବିଭିନ୍ନ ଯୋଜନାର ମୂଳଦୁଆ ପକାଇବାକୁ ଆସିଥିଲେ। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେମାନେ ଯାଇଥିଲେ। ଏହି ସମୟରେ କୃଷକମାନେ ତାଙ୍କୁ କଳା ପତାକା ଧରି ପ୍ରବଳ ବିରୋଧ କରିଥିଲେ। କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧକରି ଶତାଧିକ ଚାଷୀ ରାସ୍ତାକୁ ଓହ୍ଲାଇଥିଲେ। ଏହି ସମୟରେ ମନ୍ତ୍ରୀଙ୍କ ଗାଡି ଆନ୍ଦୋଳନକାରୀ କୃଷକଙ୍କ ଉପରେ ମାଡି ଯାଇଥିଲେ। ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ମଧ୍ୟ ଏକ କାର୍‌ ଚଳାଉଥିଲେ।

Share