Categories: ଜାତୀୟ

ଥାନାରୁ ୨୫ ଲକ୍ଷ ଚୋରି, ଜେରା ବେଳେ ଆଖି ବୁଜିଲେ ଅଭିଯୁକ୍ତ

ଆଗ୍ରା,୨୦।୧୦: ଉତ୍ତର ପ୍ରଦେଶର ଆଗ୍ରାସ୍ଥିତ ଜଗଦୀଶପୁରା ଥାନାରୁ ୨୫ ଲକ୍ଷ ଟଙ୍କା ଚୋରି କରିବା ଅଭିଯୋଗରେ ପୋଲିସ ଜେରା କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ହାଜତ ମୃତ୍ୟୁ ହୋଇଛି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ପରିବାରକୁ ଭେଟିବା ପାଇଁ ଯାଉଥିବାବେଳେ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସଓ୍ବେ’ର ଏଣ୍ଟ୍ରି ପଏଣ୍ଟରେ ପୋଲିସ ଅଟକାଇଥିଲା। ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି।

ଆଗ୍ରାସ୍ଥିତ ଲୋହାମଣ୍ଡି ଅଞ୍ଚଳର ବାସିନ୍ଦା ଅରୁଣ ବାଲ୍ମିକୀ ଜଗଦୀଶପୁରା ଥାନାରେ ସଫେଇ କାମ କରୁଥିଲେ। ଶନିବାର ରାତିରେ ସେ ଉକ୍ତ ଥାନାର ମାଲଖାନାରୁ ୨୫ ଲକ୍ଷ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ୬ ପୋଲିସ କର୍ମଚାରୀଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା। ତଦନ୍ତ ବେଳେ ପୋଲିସ ଅନେକ ସନ୍ଦିଗ୍ଧଙ୍କୁ ଜେରା କରିଥିଲା। ଅରୁଣ ସେମାନଙ୍କ ମଧ୍ୟରୁ ଜଣେ ଥିଲେ। ମଙ୍ଗଳବାର ଆଗ୍ରାର ତାଜ୍‌ ଗଞ୍ଜ ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଥିଲା। ପୋଲିସ ସୂଚନା ମୁତାବକ, ଅରୁଣ ନିଜ ପରିଚୟ ଲୁଚାଇବାକୁ ଯାଇ ମୁଣ୍ଡନ ହୋଇଥିଲେ। ଜେରା ବେଳେ ସେ ନିଜ ଦୋଷ ସ୍ବୀକାର କରିବା ସହ ଚୋରି ଟଙ୍କା ଘରେ ରଖିଥିବା କହିଥିଲେ। ମଙ୍ଗଳବାର ରାତିରେ ପୋଲିସ ଚୋରି ଟଙ୍କା ଆଣିବା ପାଇଁ ତାଙ୍କ ଘରେ ଚଢ଼ାଉ କରିଥିଲା। ସେଠାରୁ ୧୫ ଲକ୍ଷ ଟଙ୍କା ଜବତ ହୋଇଥିଲା। ଏହା ପୂର୍ବରୁ ହଠାତ୍‌ ତାଙ୍କ ସ୍ବାସ୍ଥ୍ୟ ବିଗିଡ଼ିଯାଇଥିଲା। ଅଭିଯୁକ୍ତଙ୍କୁ ହସ୍ପିଟାଲକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଆଗ୍ରା ଏସ୍‌ଏସ୍‌ପି ମୁନିରାଜ ଜି କହିଛନ୍ତି।

Share