Categories: ଜାତୀୟ

ଟଙ୍କା ଲାଗି କାମ କରୁଥିବା ଜେରା ବେଳେ ସ୍ବୀକାର କଲେ ଅଭିଯୁକ୍ତ

ଲକ୍ଷ୍ନୌ,୧୭ା୭: ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ କାର୍ଯ୍ୟ କରୁଥିବା ଉତ୍ତରପ୍ରଦେଶର ଜଣେ ଯୁବକଙ୍କୁ ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଗିରଫ କରିଛି। ମହମ୍ମଦ ରାଇସ୍‌ ନାମକ ଉକ୍ତ ଯୁବକ ତାଙ୍କର ପାକିସ୍ତାନୀ ପରିଚାଳକଙ୍କୁ ଭାରତୀୟ ସୈନ୍ୟବାହିନୀ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଉଥିଲେ ବୋଲି ଉତ୍ତରପ୍ରଦେଶ ଏଟିଏସ୍‌ କହିଛି। ରାଇସଙ୍କ ଘର ଗୋଣ୍ଡାର ତାରବଗଞ୍ଜ ଅଞ୍ଚଳରେ।

ସେ ମୁମ୍ବାଇରେ କାମ କରୁଥିବାବେଳେ ଅର୍ମାନଙ୍କ ସହ ସମ୍ପର୍କରେ ଆସିଥିଲେ। ରାଇସ ଚାକିରି କରିବାକୁ ସାଉଦି ଆରବ ଯିବାକୁ ଚାହୁଁଥିବାରୁ ଅର୍ମାନ ତାଙ୍କ ଫୋନ୍‌ ନମ୍ବରକୁ ପାକିସ୍ତାନର ଜଣେ ଲୋକଙ୍କୁ ଦେଇ ଭାରତ ବିରୋଧରେ ଗୁପ୍ତଚର ବୃତ୍ତି କରିବାକୁ ପ୍ରବର୍ତ୍ତାଇଥିଲେ। ଏହି କାମ ବଦଳରେ ତାଙ୍କୁ ବଡ଼ ଧରଣର ପାରିଶ୍ରମିକ ମିଳିବ ବୋଲି କୁହାଯାଇଥିଲା। ଏହି କାର୍ଯ୍ୟରେ ରାଇସ ତା’ର ଜଣେ ସାଙ୍ଗ ଓ ଅନ୍ୟମାନଙ୍କୁ ଲଗାଇଥିଲା। ତାଙ୍କ କାର୍ଯ୍ୟରେ ସନ୍ଦେହ ହେବାରୁ ଏଟିଏସ୍‌ ତାଙ୍କୁ ଜେରା ପାଇଁ ଲକ୍ଷ୍ନୌ ଡକାଇଥିଲା। ସେ ଗୁପ୍ତଚରଗିରି ସମ୍ପର୍କରେ ସ୍ବୀକାର କରିବା ପରେ ତାଙ୍କୁ ଗିରଫ କରାଯାଇଛି।

Share