Categories: ଜାତୀୟ

ଉତ୍ତରପ୍ରଦେଶ: ପ୍ରିୟଙ୍କା ଗାନ୍ଧୀ ହୋଇ ପାରନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ !

ଲକ୍ଷ୍ନୌ, ୧୪।୧୦: କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କର ଏକ ମନ୍ତବ୍ୟ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରିୟଙ୍କା କହିଛନ୍ତି ଯେ, ଉତ୍ତରପ୍ରଦେଶରେ ୨୦୨୨ରେ ହେବାକୁଥିବା ବିଧାନସଭା ନିର୍ବାଚନରେ ଯଦି କଂଗ୍ରେସ ସରକାର ଗଠନ କରେ, ତେବେ ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି। ଏସମ୍ପର୍କରେ ଏକ ଗଣମାଧ୍ୟମ ସଂସ୍ଥାକୁ ଦେଇଥିବା ସାକ୍ଷାତ୍‌କାରରେ ପ୍ରିୟଙ୍କା ସଙ୍କେତ ଦେଇଛନ୍ତି। ପ୍ରିୟଙ୍କା ଲଗାତାର ରାଜ୍ୟର ସମସ୍ୟା ନେଇ ଶାସକ ଭାଜପା ସରକାରଙ୍କୁ ଟାର୍ଗେଟ୍‌ କରିବାରେ ଲାଗିଛନ୍ତି। ଗତ ୩୧ ବର୍ଷ ଧରି କଂଗ୍ରେସ ଉତ୍ତରପ୍ରଦେଶରେ କ୍ଷମତାଠାରୁ ଦୂରରେ ରହିଛି। ୧୯୮୯ଠାରୁ କଂଗ୍ରେସ ରାଜ୍ୟରେ ସରକାର ଗଠନ କରିପାରି ନାହିଁ। ପରବର୍ତ୍ତୀ ସମୟରେ ଜନତା ଦଳ, ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଏବଂ ଭାଜପା ଏଠାରେ କ୍ଷମତା ଦଖଲ କରିଛନ୍ତି। ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ ଜନସାଧାରଣଙ୍କ ସମର୍ଥନ ହାସଲ ପାଇଁ ଉଦ୍ୟମ ଜାରି ରଖିଛି।

Share