Categories: ଜାତୀୟ

ଅନ୍ତର୍ଜାତୀୟ ବିମାନ ବନ୍ଦର ସଂଖ୍ୟାରେ ବି ଉତ୍ତରପ୍ରଦେଶ ଏକ ନମ୍ବର ସ୍ଥାନରେ…

ଲକ୍ଷ୍ନୌ,୨୩।୧୧: ଉତ୍ତରପ୍ରଦେଶର ଜଓ୍ବେର ବିମାନ ବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୨୫ରେ କରିବେ। ଏହା ରାଜ୍ୟର ପଞ୍ଚମ ଅନ୍ତର୍ଜାତୀୟ ବିମାନବନ୍ଦର ହେବ। ପୂର୍ବରୁ ଏକ୍ସପ୍ରେସ୍‌ ଓ୍ବେ ନିର୍ମାଣରେ ଉତ୍ତରପ୍ରଦେଶ ଆଗରେ ଥିଲା। ଏବେ ବିମାନବନ୍ଦର କ୍ଷେତ୍ରରେ ମଧ୍ୟ ରାଜ୍ୟ ଦେଶରେ ଏକ ନମ୍ବର ସ୍ଥାନରେ ରହିବ। ରାଜ୍ୟରେ ସର୍ବାଧିକ ସଂଖ୍ୟକ ଏକ୍ସପ୍ରେସ-ୱେ ନିର୍ମିତ ହୋଇଛି। ନିକଟରେ ପ୍ରଧାନମନ୍ତ୍ରୀ କୁଶୀନଗର ଅନ୍ତର୍ଜାତୀୟ ବିମାନବନ୍ଦରର ଲୋକାର୍ପଣ କରିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଅଯୋଧ୍ୟାରେ ଅନ୍ତର୍ଜାତୀୟ ବିମାନବନ୍ଦରର କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଦ୍ୟାବଧି ରାଜ୍ୟରେ କେବଳ ଲକ୍ଷ୍ନୌ ଏବଂ ବାରାଣାସୀ ବିମାନବନ୍ଦର ଅନ୍ତର୍ଜାତୀୟ ମାନ୍ୟତା ପାଇଛି।

ସମଗ୍ର ଦିଲ୍ଲୀ ଏନସିଆର ସହିତ ଆଗ୍ରା, ମଥୁରା, ଆଲିଗଡ ଏବଂ ମେରଟ ପରି ନିକଟବର୍ତ୍ତୀ ଜିଲା ଜଓ୍ବେର ବିମାନବନ୍ଦର ଯୋଗୁ ଲାଭାନ୍ବିତ ହେବେ। ଏହି ବିମାନବନ୍ଦର ନିର୍ମାଣ ପରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଚାପ ହ୍ରାସ ପାଇବ ବୋଲି କୁହାଯାଉଛି।

ଉତ୍ତରପ୍ରଦେଶରେ ଦେଶର ସର୍ବାଧିକ ଏକ୍ସପ୍ରେସ-ୱେ ରହିଛି। ସେଗୁଡିକ ହେଉଛି, ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେ, ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ-ୱେ ଏବଂ ଯମୁନା ଏକ୍ସପ୍ରେସ-ୱେ। ଏହା ସହିତ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ, ଗଙ୍ଗା ଏକ୍ସପ୍ରେସ-ୱେ ଏବଂ ଗୋରଖପୁର ଲିଙ୍କ ଏକ୍ସପ୍ରେସ-ୱେରେ କାମ ଚାଲିଛି। ଫଳରେ ଆସନ୍ତା କିଛି ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ୬ ଟି ଏକ୍ସପ୍ରେସ-ୱେ କାର୍ଯ୍ୟକ୍ଷମ ହୋଇପାରିବ।

ଅପରପକ୍ଷରେ ଦିଲ୍ଲୀ-ମେରଟ ଏକ୍ସପ୍ରେସ-ୱେର ଏକ ବଡ଼ ଅଂଶ ଉତ୍ତରପ୍ରଦେଶରେ ରହିଛି। ଏହା ରାଜ୍ୟର ଗାଜିଆବାଦ, ହାପୁର ଏବଂ ମେରଟ ଆଦି ଜିଲାକୁ ସଂଯୋଗ କରୁଛି।

Share