Categories: ଜାତୀୟ

ମହେନ୍ଦ୍ର ଭଟ୍ଟ ଉତ୍ତରାଖଣ୍ଡ ଭାଜପା ପ୍ରଦେଶ ଅଧ୍ୟକ୍ଷ

ଡେରାଡୁନ,୩୦।୭: ଉତ୍ତରାଖଣ୍ଡରେ ଭାଜପା ନୂଆ ପ୍ରଦେଶ ଅଧ୍ୟକ୍ଷର ନାମ ଘୋଷଣା କରିଛି। ଗତ କିଛି ଦିନରୁ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ନୂତନ ରାଜ୍ୟ ଅଧ୍ୟକ୍ଷଙ୍କ ନାମକୁ ନେଇ ବହୁ କଳ୍ପନାଜଳ୍ପନା ଲାଗିରହିଥିଲା। କିନ୍ତୁ ଶନିବାର ଦଳ କେବଳ ଉତ୍ତରାଖଣ୍ଡର ନୂତନ ରାଜ୍ୟ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛି। ମହେନ୍ଦ୍ର ଭଟ୍ଟଙ୍କୁ ରାଜ୍ୟ ଦଳର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏନେଇ ଭାଜପାର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂ ଏକ ଚିଠି ଜାରି କରିଛନ୍ତି। ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମହେନ୍ଦ୍ର ଭଟ୍ଟଙ୍କୁ ଉତ୍ତରାଖଣ୍ଡର ଭାଜପା ପ୍ରଦେଶ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ଏହି ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେବ। ସୂଚନା ମୁତାବକ, ଏହା ପୂର୍ବରୁ ବୁଧବାର ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ମହେନ୍ଦ୍ର ସାକ୍ଷାତକାର କରିଥିଲେ। ଏହାପରେ ମହେନ୍ଦ୍ର ଭଟ୍ଟଙ୍କୁ ଦଳ ଅଧ୍ୟକ୍ଷ କରିବା ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ତେବେ ଭଟ୍ଟ ଏହାକୁ କେବଳ ସୌଜନ୍ୟମୂଳକ ସାକ୍ଷାତକାର ବୋଲି କହିଥିଲେ। ମହେନ୍ଦ୍ର ଭଟ୍ଟ ଉତ୍ତରାଖଣ୍ଡର ବଦ୍ରିନାଥ ଆସନରୁ ବିଧାୟକ ମଧ୍ୟ ରହିଛନ୍ତି।

Share