ମୁଖ୍ୟମନ୍ତ୍ରୀ, ତାଙ୍କ ପତ୍ନୀଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ଡେରାଡୁନ,୧୪।୨: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର ସମସ୍ତ ୭୦ଟି ଆସନ ପାଇଁ ସୋମବାର ମତଦାନ ଜାରି ରହିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ ତାଙ୍କ ପତ୍ନୀ ଗୀତାଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଧାମି ଓ ତାଙ୍କ ପତ୍ନୀ ପୋଲିଂ ବୁଥ୍‌କୁ ଭାଜପା ଚିହ୍ନ ଓ ରଙ୍ଗ ଥିବା ର୍ସ୍କାଫ ପିନ୍ଧିଯାଇଥିବା ନଜର ଆସିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ନିର୍ବାଚନ ଆୟୋଗଙ୍କ ଆଚରଣ ବିଧି ଅନୁସାରେ ପୋଲିଂ ବୁଥ୍‌ ଆଖପାଖ ଅଞ୍ଚଳରେ ପୋଷ୍ଟର, ପତାକା କିମ୍ବା ଦଳର କୌଣସି ପ୍ରତୀକ ଚିହ୍ନ ପ୍ରଦର୍ଶନ କରିବାକୁ ବାରଣ କରାଯାଇଥିଲା। ଏହା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଧାମୀ ଏବଂ ତାଙ୍କ ପତ୍ନୀ ଗୀତା ପୋଲିଂ ବୁଥ୍‌ରେ ଭାଜପାର ଚିହ୍ନ ଥିବା ର୍ସ୍କାଫ୍‌କୁ ପିନ୍ଧି ପ୍ରଚାର କରୁଥିବାର ଦେଖିବାକୁ ମିଳିଛି। କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଧାମିଙ୍କ ପତ୍ନୀ। ଅନ୍ୟପଟେ ଏଭଳି ଆଚରଣ ବିଧି ଉଲ୍ଲଂଘନ ସମୟରେ ସୁରକ୍ଷାକର୍ମୀ କିମ୍ବା ପୋଲିଂ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ଜଣାପଡ଼ିଛି।

Share