Categories: ଜାତୀୟ

ଚମ୍ପାଓ୍ବତ୍‌ ଆସନରୁ ଲଢ଼ିପାରନ୍ତି ମୁଖ୍ୟମନ୍ତ୍ରୀ ଧାମି

ଡେରାଡୁନ୍‌,୪।୪: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଚମ୍ପାଓ୍ବତ୍‌ ଆସନରୁ ଉପନିର୍ବାଚନ ଲଢ଼ିପାରନ୍ତି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ସେ ଦିଦିହାଟ ଆସନରୁ ଲଢ଼ିବା ନେଇ ଆଲୋଚନା ହେଉଥିଲା। ତେବେ ଉକ୍ତ ଆସନରୁ ବିଧାୟକ ଥିବା ବିଶନ ସିଂ ଚୁଫାଲଙ୍କ ସହ ମତଭେଦ ଯୋଗୁ ଯୋଜନାରେ ପରିବର୍ତ୍ତନ କରାଯାଇଛି। ଚମ୍ପାଓ୍ବତ ଆସନର ଟ୍ରାକ୍‌ ରେକର୍ଡ ଭଲ ରହିଛି। ସେଠାରୁ ବିଧାୟକ ଥିବା କୈଳାସ ଗେହତୋରି ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସନ ଖାଲି କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସେ ଏ ସମ୍ପର୍କରେ ପ୍ରଥମେ ଘୋଷଣା କରିଥିଲେ। ଗତ ନିର୍ବାଚନରେ ଧାମି ଖାତିମା ଆସନରୁ ଲଢ଼ି ହାରିଯାଇଥିଲେ। ତାଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ କରିବା ପାଇଁ ଭାଜପା କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେଇଥିଲା। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ତାଙ୍କୁ ମୁଖ୍ୟମନ୍ତ୍ରୀ ହେବାର ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିବ। ଶୁକ୍ରବାର ଧାମି ଚମ୍ପାଓ୍ବତ ଜିଲାର ବନବସା ସହରରେ ଏକ ସଭାକୁ ଉଦ୍‌ବୋଧନ ଦେବା ବେଳେ ଜିଲାବାସୀଙ୍କ ପାଇଁ ତାଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ରହିଥିବା କହିଥିଲେ।

Share