Categories: ଜାତୀୟ

ପୁଣି ବିବାଦରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ,୨୧।୩: ଉତ୍ତରାଖଣ୍ଡ ସିଏମ ତିରଥ ସିଂ ରାୱତଙ୍କ ଆଉ ଏକ ବିବାଦୀୟ ମନ୍ତବ୍ୟ ସାମ୍ନାକୁ ଆସିଛି। ରବିବାର ଏକ ସରକାରୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ପାଇଁ ରାମନଗରରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ଏଠାରେ ସେ କହିଛନ୍ତି ଯେ, ସରକାରଙ୍କ ଦ୍ୱାରା ବଣ୍ଟା ଯାଉଥିବା ଚାଉଳକୁ ନେଇ ଲୋକଙ୍କ ମଧ୍ୟ ଇର୍ଷା ଭାବ ସୃଷ୍ଟି ହେଉଛି। ଦୁଇ ସଦସ୍ୟ ବିଶିଷ୍ଟ ପରିବାରକୁ ୧୦ କିଲୋ ଚାଉଳ ଏବଂ ୨୦ ସଦସ୍ୟ ବିଶିଷ୍ଟ ପରିବାରକୁ ୧ କ୍ୱିଣ୍ଟାଲ ଚାଉଳ କାହିଁକି ଦିଆଯାଉଛି ବୋଲି ଲୋକ ପ୍ରଶ୍ନ କରୁଛନ୍ତି। ଏଥିରେ ଦୋଷ କାହାର, ସେମାନେ ୨୦ ଜନ୍ମ କରିଛନ୍ତି, ତେଣୁ ତାଙ୍କୁ ଏକ କ୍ୱିଣ୍ଟାଲ ମିଳୁଛିି ଏଥିରେ ଇର୍ଷାଭାବ କାହିଁକି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆପଣ ଦୁଇଟି ଜନ୍ମ କରିଛନ୍ତି, ୨୦ କାହିଁକି ଜନ୍ମ କଲେ ନାହିଁ ବୋଲି ସେ ଲୋକଙ୍କୁ ପ୍ରଶ୍ନ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଆଲୋଚନା ହେଉଛି। ସୂଚନାଯୋଗ୍ୟ, କିଛିଦିନ ତଳେ ଶିଶୁ ସୁରକ୍ଷା ଆୟୋଗର ଏକ କର୍ମଶାଳାର ଉଦଘାଟନ ସମୟରେ ତିରଥ ସିଂ ରାୱତ ମହିଳା ପୋଷାକକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ଆଜିକାଲି ମହିଳାମାନେ ଚିରା ଜିନ୍ସ ପିନ୍ଧୁଛନ୍ତି, ଏସବୁ ଠିକ କି … ଏହା କି ପ୍ରକାର ସଂସ୍କାର? ପିଲାମାନଙ୍କ ମଧ୍ୟରେ କେମିତି ସଂସ୍କାର ଆସେ। ଏହା ଅଭିଭାବକଙ୍କ ଉପରେ ନିର୍ଭର କରେ। କିଛି ମହିଳା ପାଶ୍ଚାତ୍ୟ ସଂସ୍କୃତି ଦ୍ୱାରା ପ୍ରଭାବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଯାହାକୁ ନେଇ ବିବାଦ ଉପୁଜିଥିଲା।

Share