Categories: ଜାତୀୟ

ଉତ୍ତରାଖଣ୍ଡ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୫୩ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ଡେରାଡୁନ,୨୩ ।୧: ଉତ୍ତରାଖଣ୍ଡ ନିର୍ବାଚନ ଲାଗି କଂଗ୍ରେସ ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟ ତାଲିକାରେ ୫୩ ଜଣ ପ୍ରାର୍ଥୀ ରହିଛନ୍ତି । ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ବିରୋଧରେ ଭୁବନ ଚନ୍ଦ୍ର କପରୀଙ୍କୁ ମଇଦାନକୁ ଓହ୍ଲାଇଛି । ଏପଟେ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଆସି କଂଗ୍ରେସରେ ଯୋଗ ଦେଇଥିବା ୟଶପାଲ ଆର୍ଯ୍ୟଙ୍କୁ ବାଜପୁରରୁ ଟିକେଟ ଦିଆଯାଇଛି । ୫୩ ଜଣଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଏମିତି ଆହୁରି ୧୫ ଆସନ ରହିଛି ଯାହାକୁ ନେଇ ଏବେବି ମନ୍ଥନ ଚାଲିଛି । ଏହି ଆସନ ଗୁଡିକରେ ଏବେ ପର୍ଯ୍ୟନ୍ତ ସହମତି ହୋଇ ପାରୁ ନ ଥିବା କୁହାଯାଉଛି । ଯେଉଁ ଆସନକୁ ନେଇ ବିବାଦ ଲାଗି ରହିଛି ସେଠାରେ ହରିଶ ରାୱତ ଓ ପ୍ରିତମ ସିଂ ନିଜ ନିଜର ପ୍ରାର୍ଥୀ ଦେବାକୁ ଚାହୁଁଛନ୍ତି ବୋଲି ଶୁଣିବାକୁ ମିଳିଛି । ପ୍ରଥମ ସୂଚିରେ ନା ହରକ ସିଂ ରାୱତଙ୍କ ନାମ ରହିଛି ନା ହରିଶ ରାୱତଙ୍କ ଦାବିଦାରଙ୍କୁ ନେଇ କୌଣସି ସୂଚନା ରହିଛି । ଏପଟେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଗଣେଶ ଗୋଦିୟାଲ କହିଛନ୍ତି ଆଶା କରୁଛି ସମସ୍ତ ପ୍ରାର୍ଥୀ ବିଜୟି ହେବେ ।

Share