Categories: ଜାତୀୟ

‘ସୌଭାଗ୍ୟବତୀ ଯୋଜନା’ରେ ଗର୍ଭବତୀ ମହିଳା, ନବଜାତ ଶିଶୁଙ୍କୁ ମିଳିବ ସ୍ବତନ୍ତ୍ର କିଟ୍‌

ଡେରାଡୁନ, ୧୦।୧୦: ଉତ୍ତରାଖଣ୍ଡ ସରକାର ଖୁବ୍‌ ଶୀଘ୍ର ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଯାହାର ନାମ ‘ସୌଭାଗ୍ୟବତୀ’ ଯୋଜନା ରଖିଛନ୍ତି। ଏହି ଯୋଜନାରେ ରାଜ୍ୟର ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କ ‘ଉପଯୁକ୍ତ ଯତ୍ନ ଓ ପୋଷଣ’ ପାଇଁ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି। ଉତ୍ତରାଖଣ୍ଡର ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏହି ଯୋଜନା ଆରମ୍ଭ କରାଯିବ। ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କ ଉପଯୁକ୍ତ ପୋଷଣ ତଥା ପରିମଳ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରାଯିବା ଏହାର ଲକ୍ଷ୍ୟ ରହିଛି। ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ କହିଛନ୍ତି, ଏହି କାର୍ଯ୍ୟକ୍ରମ ଅଧିନରେ ଜଣେ ଗର୍ଭବତୀ ମହିଳା ଓ ତାଙ୍କ ନବଜାତ ଶିଶୁ ପାଇଁ ୨ଟି ଅଲଗା ଅଲଗା କିଟ୍‌ ଯୋଗାଇ ଦିଆଯିବ। ଏହି କିଟ୍‌ରେ ୭-୮ ପ୍ରକାର ଆଇଟମ୍‌ ରହିବ। ଯେଉଁଥିରେ ଶୁଖିଲା ଫଳ, ମହିଳା ଓ ଶିଶୁ ପୋଷାକ, ସାନିଟାରୀ ନାପକିନ୍‌, ଡାଏପର୍‌, ପଶମ ଶାଓ୍ବଲ, କମ୍ବଳ, ବେଡ୍‌ସିଟ୍‌, ସାବୁନ, ତେଲ ଇତ୍ୟାଦି ରହିବ। ପ୍ରଥମ ପର୍ଯ୍ୟାୟରେ ୩୦ରୁ ୪୦ ହଜାର ଗର୍ଭବତୀ ମହିଳା ଏହି ଯୋଜନାର ଲାଭ ଉଠାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share