Uttarakhand Green Cess: ଉତ୍ତରାଖଣ୍ଡରେ ଗାଡି ପ୍ରବେଶ କଲେ ଦେବାକୁ ହେବ ସବୁଜ ଟିକସ, ଏସବୁ ଯାନକୁ ଛାଡ୍‌..

ଡେରାଡୁନ,୧୨।୨ : ହିମାଚଳ ପ୍ରଦେଶ ପରେ ଉତ୍ତରାଖଣ୍ଡ ସରକାର ମଧ୍ୟ ବାହାର ରାଜ୍ୟରୁ ରାଜ୍ୟକୁ ଆସୁଥିବା ଯାନ ଉପରେ ସବୁଜ ଟିକସ ଲାଗୁ କରିବାକୁ ଯୋଜନା କରିଛନ୍ତି। ଏ ସମ୍ପର୍କରେ ଜାରି ବିଜ୍ଞପ୍ତିରେ କୁହାଯାଇଛି ଫାସଟାଗ ମାଧ୍ୟମରେ ଟୋଲ ପ୍ଲାଜାରେ ଏହି ଟିକସ ସଂଗ୍ରହ କରାଯିବ। ଟିକସ ପରିମାଣ ୨୦ ରୁ ୮୦ଟଙ୍କା ପର୍ଯ୍ୟନ୍ତ ସ୍ଥିର କରାଯାଇଛି। ତେବେ ଏହି ଟିକସରୁ କିଛି ଯାନକୁ ରାଜ୍ୟ ସରକାର ମଧ୍ୟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି।

ପରିବହନ ସଚିବ ଅରବିନ୍ଦ ସିଂ କହିଛନ୍ତି ଏହି ବିଜ୍ଞପ୍ତି ଗତ ଶୁକ୍ରବାର ଠାରୁ କାର୍ଯ୍ୟକାରୀ ହୋଇଛି। କିନ୍ତୁ, ରାଜ୍ୟକୁ ଆସୁଥିବା ଯାନରୁ ସବୁଜ ଟିକସ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବାକୁ କିଛି ସମୟ ଲାଗିବ । ପୂର୍ବରୁ ଆମର ଏଣ୍ଟ୍ରି ପଏଣ୍ଟରେ ଚେକ ପୋଷ୍ଟ ଥିଲା । କିନ୍ତୁ ଗତ କିଛି ବର୍ଷ ଧରି ଏହି ଚେକପୋଷ୍ଟଗୁଡିକ ବନ୍ଦ ରହିଥିଲା। ପର୍ଯ୍ୟଟକଙ୍କ ପାଇଁ ମାନୁଆଲ ଟ୍ୟାକ୍ସ ଜମା କରିବା ଅସୁବିଧାଜନକ, ତେଣୁ ବର୍ତ୍ତମାନ ଫାସଟାଗ ମାଧ୍ୟମରେ ସବୁଜ ଟିକସ ସଂଗ୍ରହ କରାଯିବ ।

ସବୁଜ ଟିକସ ବିଷୟରେ ଉତ୍ତରାଖଣ୍ଡ ସରକାର ବିଭିନ୍ନ ଯାନ ପାଇଁ  ଭିନ୍ନ ଭିନ୍ନ ରାଶି ସ୍ଥିର କରିଛନ୍ତି। ଏହା ବ୍ୟତୀତ କିଛି ଯାନକୁ ଛାଡ୍‌ ମଧ୍ୟ ଦିଆଯାଇଛି। ବିଜ୍ଞପ୍ତି ଅନୁଯାୟୀ, ବୈଦ୍ୟୁତିକ କିମ୍ବା ସିଏନଜି ଇନ୍ଧନରେ ଚାଲୁଥିବା ଯାନକୁ ସବୁଜ ଟିକସ ଦେବାକୁ ପଡିବ ନାହିଁ। ଏହା ବ୍ୟତୀତ ଦୁଇ ଚକିଆ ଯାନ, ସରକାର ଯାନ, ଦମକଳ ଗାଡ଼ି, ସାମରିକ ଏବଂ କୃଷି ଯାନ ମଧ୍ୟ ଏହି ଟିକସରୁ ଛାଡ୍‌ ପାଇବେ।

ଏହି ଯୋଜନା କାର୍ଯ୍ୟକାରୀ କରିବାର ସମୟ ସୀମା ସମ୍ପର୍କରେ ଅରବିନ୍ଦ ସିଂ କହିଛନ୍ତି କେନ୍ଦ୍ର ସରକାରଙ୍କ ସହ ଆଲୋଚନାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ଚାର୍‌ ଧାମ ଯାତ୍ରା ଆରମ୍ଭ ପୂର୍ବରୁ ଟିକସ ସଂଗ୍ରହ ଆରମ୍ଭ ହେବ। ପରିବହନ ବିଭାଗର ସୂଚନା ଅନୁଯାୟୀ, ତିନି ଚକିଆ ଯାନ ପାଇଁ ୨୦ ଟଙ୍କା ଏବଂ ଚାରି ଚକିଆ ଯାନ ଲାଗି ୪୦ ଟଙ୍କା ଟିକସ ନିଆଯିବ। ମଧ୍ୟମ ଏବଂ ଭାରୀ ମୋଟର ଯାନକୁ ଯଥାକ୍ରମେ ୬୦ ଏବଂ ୮୦ ଟଙ୍କା ସବୁଜ ଟିକସ ଦେବାକୁ ପଡିବ ।

Share