ଉତ୍ତରକାଶୀରେ ସୁଡ଼ଙ୍ଗ ଭୁଶୁଡ଼ିଲା: ୫ ଓଡ଼ିଆଙ୍କ ସମେତ ୪୦ ଫସିଛନ୍ତି

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ବାଙ୍ଗିରିପୋଷି (ସଞ୍ଜୟ କୁମାର ଅଗ୍ରୱାଲ), ୧୪ା୧୧
ଉତ୍ତରାଖଣ୍ଡରେ ଭୁଶୁଡ଼ିଥିବା ସୁଡ଼ଙ୍ଗ ତଳେ ଫସିରହିଥିବା ଶ୍ରମିକଙ୍କ ମଧ୍ୟରେ ୫ଜଣ ଓଡ଼ିଆ ଅଛନ୍ତି। ସେମାନଙ୍କ ମଧ୍ୟରେ ୩ଜଣ ମୟୂରଭଞ୍ଜ ଜିଲାର ଏବଂ ୨ଜଣ ନବରଙ୍ଗପୁର ଜିଲାର ବୋଲି ଜଣାପଡ଼ିଛି। ମୟୂରଭଞ୍ଜ ଜିଲାର ୩ଜଣ ହେଲେ ବାଙ୍ଗିରିପୋଷି ବ୍ଲକ ଚନ୍ଦନପୁର ପଞ୍ଚାୟତ ଅନ୍ତର୍ଗତ ବେଢ଼ାକୁଦର ଗ୍ରାମର ଧୀରେନ ନାଏକ, ଯୋଗୀବନ୍ଧ ଗ୍ରାମର ବିଶ୍ୱେଶ୍ୱର ନାଏକ ଏବଂ ତିରିଂ ବ୍ଲକ କୁଳଦିଆ ବଡ଼କେଡମ ଗ୍ରାମର ରାଜୁ ନାଏକ। ଅପରପକ୍ଷରେ ନବରଙ୍ଗପୁର ଜିଲାର ୨ଜଣ ଶ୍ରମିକ ହେଲେ ତପନ ମଣ୍ଡଳ ଓ ଭଗବାନ ବାତ୍ରା।
ଫସିଥିବା ଶ୍ରମିକମାନେ ନବଯୁଗ ଇଞ୍ଜିନିୟରିଂ କମ୍ପାନୀ ଲିମିଟେଡ୍‌ ଅଧୀନରେ କାମ କରୁଥିଲେ। ଗତ ଜୁନ୍‌ ୧ତାରିଖରୁ ମୟୂରଭଞ୍ଜର ୩ଶ୍ରମିକ କାମ କରିବାକୁ ଉତ୍ତରାଖଣ୍ଡ ଯାଇଥିଲେ। ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ଫସିରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି। ପ୍ରତିକୂଳ ପରିସ୍ଥିତି ଯୋଗୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିବା ସେଠାରେ କାମ କରୁଥିବା ବେଢ଼ାକୁଦର ଗ୍ରାମର କ୍ଷୀରୋଦ ନାଏକ କହିଛନ୍ତି। ତେବେ ଫସିରହିଥିବା ଶ୍ରମିକଙ୍କ ସମ୍ପର୍କରେ ସବିଶେଷ ସୂଚନା ମିଳି ପାରୁ ନ ଥିବାରୁ ସେମାନଙ୍କ ପରିବାର ଲୋକେ ହତୋତ୍ସାହିତ ହୋଇପଡ଼ିଛନ୍ତି। ସୁରକ୍ଷିତ ଭାବେ ସେମାନଙ୍କୁ ଉଦ୍ଧାର କରିବା ଲାଗି ପରିବାର ଲୋକେ ନିବେଦନ କରିଛନ୍ତି। କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସ୍ଥିତି ଉପରେ ନଜର ରଖିଛନ୍ତି।

Share