ସୁଡ଼ଙ୍ଗ ଭିତର ଅନୁଭୂତି ବଖାଣିଲେ ଓଡ଼ିଆ ଶ୍ରମିକ: କହିଲେ ‘ମୁଢ଼ି ବଞ୍ଚାଇଥିଲା ୧୦ ଦିନ’

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ ବାଙ୍ଗିରିପୋଷି(ସଞ୍ଜୟ ଅଗ୍ରଓ୍ବାଲ),୩୦ା୧୧: ଓଡ଼ିଆ ଶ୍ରମିକ ଧୀରେନ ନାଏକ ଓ ଅନ୍ୟ ୪ ଓଡ଼ିଆଙ୍କ ସମେତ ମୋଟ ୪୧ ଶ୍ରମିକ ସୁଡ଼ଙ୍ଗ ଭିତରୁ ବାହାରକୁ ବାହାରିବା ପରେ ପୁନର୍ଜନ୍ମ ପାଇଥିବା ଅନୁଭବ କରିଛନ୍ତି। ବାହାରର ଆଲୋକ ଦେଖିବା ପରେ ଈଶ୍ୱରଙ୍କୁ ଧୀରେନ ଧନ୍ୟବାଦ ଜଣାଇଛନ୍ତି। ଧୀରେନ କହିଛନ୍ତି ଯେ, ସେ ଅନ୍ୟ ଶ୍ରମିକମାନଙ୍କ ସହ ନଭେମ୍ବର ୧୧ ତାରିଖ ରାତି ୮ଟାରେ ଡ୍ୟୁଟିକୁ ଯାଇଥିଲେ। ସୁଡ଼ଙ୍ଗର ୨ କି.ମି. ଦୂରରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ତହିଁ ପରଦିନ ଦୀପାବଳି ଥିବାରୁ ଶୀଘ୍ର କାମ ସାରି ସକାଳେ ଫେରିବାବେଳେ ବାଟ ବନ୍ଦ ହୋଇଯାଇଥିଲା।

ସୁଡ଼ଙ୍ଗ ଭୁଶୁୁଡ଼ି ପଡ଼ିବା ଦେଖି ଅନ୍ଧାର ଭିତରେ ସେମାନେ ଜୀବନ ବଞ୍ଚାଇବାର ରାହା ଖୋଜିଥିଲେ। ଫୋନରେ ଯୋଗାଯୋଗ ସମ୍ଭବ ନ ଥିଲା। ୧୮ଘଣ୍ଟା ଧରି ପର୍ଯ୍ୟାପ୍ତ ଅମ୍ଳଜାନ ପାଇପାରି ନ ଥିଲେ। ତେବେ ଦୁର୍ଘଟଣା ପରେ ସୁଡ଼ଙ୍ଗ ଭିତରେ ପାଣି ଲାଇନ୍‌ କଟି ନ ଥିଲା । ଜୀବନ ବଞ୍ଚାଇବା ପାଇଁ ସୁଡ଼ଙ୍ଗ ଭିତରକୁ ଯାଇଥିବା ପାଣି ପାଇପ୍‌ କାଟି ପ୍ରଥମେ ଚିତ୍କାର କରି ବାହାରକୁ ମେସେଜ ପଠାଇଥିଲେ। ଉକ୍ତ ପାଇପ୍‌ ଯୋଗେ ମୋଟର ଚଳାଇ ପାଣି ଛାଡ଼ିବା ପରେ ବାହାର ଲୋକଙ୍କ ସହ ଯୋଗାଯୋଗ ସମ୍ଭବ ହୋଇଥିଲା। ୧୮ଘଣ୍ଟା ପରେ ପାଣି ପାଇପ୍‌ ମାଧ୍ୟମରେ ଅମ୍ଳଜାନ ଓ ଖାଦ୍ୟ ପାଇଥିଲେ। ପ୍ରଥମେ ମୁଢ଼ିି, କାଜୁ ଓ କିସ୍‌ମିସ୍‌ ପାଇଥିଲେ। ପ୍ରଥମ ୧୦ଦିନ କେବଳ ମୁଢ଼ିରେ ଜୀବନ ବଞ୍ଚାଇଥିଲେ। ପରେ ଏକ ୬ ଇଞ୍ଚର ପାଇପ୍‌ ଯୋଗେ ଭାତ, ରୁଟି, ତରକାରି ପାଇଥିଲେ। ସେମାନେ ସମସ୍ତେ ଏକାଠି ଥିବାରୁ କାହାରି ମନୋବଳ ଭାଙ୍ଗି ନ ଥିଲା। ଉଦ୍ଧାର କାର୍ଯ୍ୟ ଚାଲିଥିବା ଶୁଣି ସେମାନେ ଆଶ୍ୱସ୍ତ ହୋଇଥିଲେ। ଦୀର୍ଘ ୫ବର୍ଷ ହେଲା ସେଠାରେ ଆମେ କାମ କରି ଆସୁଛୁ ବୋଲି ଧୀରେନ କହିଛନ୍ତି। ଉଦ୍ଧାର ପରେ ଧୀରେନଙ୍କ ସହ କଥା ହୋଇ ପରିବାର ଲୋକେ ଖୁସି ବ୍ୟକ୍ତ କରିଥିବାବେଳେ ଈଶ୍ୱରଙ୍କ କୃପାରୁ ଭଲରେ ଭଲରେ ଫେରିଆସିଥିବା କହିଛନ୍ତି। ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଯୋଗୀବନ୍ଧ ଗ୍ରାମର ବିଶ୍ୱେଶ୍ୱର ନାଏକ କୁହନ୍ତି, ସୁଡ଼ଙ୍ଗ ଭିତରେ ଆମେ ଭଲରେ ଥିଲୁ। ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛୁ। ଖୁବ୍‌ ଶୀଘ୍ର ଓଡ଼ିଶା ଫେରିବୁ ବୋଲି ସେ ତାଙ୍କ ସ୍ତ୍ରୀ ସୁକାନ୍ତିଙ୍କୁ କହିଛନ୍ତି।

Share