Categories: ଜାତୀୟ

ମଣିଷଖିଆ ବାଘକୁ ହତ୍ୟା କଲା ବନ ବିଭାଗ

ଡେରାଡୁନ, ୩୦।୯: ଉତ୍ତରାଖଣ୍ଡ ପିଥୋରଗଡ଼ ଜିଲାରେ ବୁଧବାର ସକାଳେ ବନ ବିଭାଗ ନିଯୁକ୍ତ ଜଣେ ଶିକାରୀ ଦ୍ୱାରା ଏକ ଚିତା ବାଘକୁ ଗୁଳି କରି ହତ୍ୟା କରାଯାଇଛି। ଏହି ବାଘର ଆକ୍ରମଣରେ ଜିଲାରେ ୨ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆଘାତ ପାଇ ଚିକିତ୍ସାଧୀନ ରହିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୧୧ ବର୍ଷର ବାଳିକା ଏବଂ ଜଣେ ୪୦ ବର୍ଷର ବ୍ୟକ୍ତି ରହିଛନ୍ତି। ସେପ୍ଟେମ୍ବର ୨୪ରେ ବାଳିକା ଜଣଙ୍କ ଜଙ୍ଗଲକୁ ଚାରା ସଂଗ୍ରହ କରିବା ପାଇଁ ଯାଇଥିବାବେଳେ ବାଘ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ଏହି ବାଘକୁ ବନ ବିଭାଗ ପକ୍ଷରୁ ଶନିବାର ‘ମଣିଷଖିଆ’ ବୋଲି ଘୋଷଣା କରାଯାଇଥିଲା। ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫ୍‌ଓ) ବିନୟ ଭାର୍ଗବ କହିଛନ୍ତି, ‘ବୁଧବାର ସକାଳେ ସିଲ୍‌ସିଲା ଜଙ୍ଗଲ ଅଞ୍ଚଳରେ ୧୦ ବର୍ଷୀୟ ଏହି ବାଘଟିକୁ ବନ ବିଭାଗ ଦ୍ୱାରା ନିଯୁକ୍ତ ଶିକାରୀ ସୟଦ ଅଲିବିନ୍‌ ହାଦିଙ୍କ ଦ୍ୱାରା ଗୁଳି କରି ହତ୍ୟା କରାଯାଇଛି। ଚିତା ବାଘର ଶରୀରକୁ ପୋଷ୍ଟ ମର୍ଟମ ପାଇଁ ପଠାଯାଇଛି।’ ଏଠାରେ ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଉତ୍ତରାଖଣ୍ଡରେ ‘ମଣିଷଖିଆ’ ବାଘକୁ ଗୁଳି କରି ହତ୍ୟା କରାଯିବାରେ ଏହା ପ୍ରଥମ ଘଟଣା ନୁହେଁ। ଏଥିପୂର୍ବରୁ ସେପ୍ଟେମ୍ବର ୬ରେ ଗରଓ୍ବାଲ ଜିଲାରେ ମଧ୍ୟ ଏକ ବାଘକୁ ବନ ବିଭାଗ ପକ୍ଷରୁ ଗୁଳି କରି ହତ୍ୟା କରାଯାଇଥିଲା। ସେହି ବାଘଟି ମଧ୍ୟ ଜଣେ ୨୫ ବର୍ଷୀୟ ଯୁବକକୁ ମାରି ଦେଇଥିଲା।
ଉଲ୍ଲେଖଯୋଗ୍ୟ, ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ ୧୧ (୧) (କ) ଅନୁଯାୟୀ, ମୁଖ୍ୟ ବନ୍ୟପ୍ରାଣୀ ଓ୍ବାର୍ଡେନ ଯେକୌଣସି ବଣୁଆ ଜନ୍ତୁକୁ ମାନବ ଜୀବନ ପ୍ରତି ବିପଦ ବୋଲି ଘୋଷଣା କରିପାରନ୍ତି। ଏହି ଆଇନରେ ଦର୍ଶାଯାଇଛି ଯେ, ମୁଖ୍ୟ ବନ୍ୟପ୍ରାଣୀ ଓ୍ବାର୍ଡେନ ଯଦି ଅନୁଭବ କରନ୍ତି କୌଣସି ବନ୍ୟଜନ୍ତୁ ମଣିଷ ଜୀବନ ପାଇଁ ବିପଦଜନକ ହୋଇପଡ଼ିଛି ତେବେ ଯେକୌଣସି ବ୍ୟକ୍ତିଙ୍କୁ ଏହି ପଶୁକୁ ଶିକାର କରିବାକୁ ଅନୁମତି ଦେଇପାରିବେ।

Share