Categories: ଜାତୀୟ

ଅନ୍ଧାରୀ ଟନେଲରୁ ଫେରିଲା ଜୀବନ: ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବରିଷ୍ଠ ବ୍ୟକ୍ତି

ନୂଆଦିଲ୍ଲୀ,୨୮।୧୧: ଉତ୍ତରାଖଣ୍ଡର ଉତ୍ତରକାଶୀର ସିଲକ୍ୟାରା ସୁଡଙ୍ଗରୁ ରେସ୍କ୍ୟୁ ହୋଇଛନ୍ତି ୪୧ଶ୍ରମିକ। ଅନ୍ଧାରୀ ଟନେଲରୁ ଫେରିଛି ଜୀବନ। ୧୭ଦିନ ପୂର୍ବେ ଏହି ଜୀବନ ରହିବ କି ନାହିଁ ତାହା ଘଡି ସନ୍ଧି ମୂହୁର୍ତ୍ତରେ ଥିଲା। ହେଲେ କଠିନ ପରିଶ୍ରମର ଫଳାଫଳ ୪୧ଜଣ ଶ୍ରମିକଙ୍କୁ ଫେରାଇ ଅଣାଯାଇଛି। ଏଥିମଧ୍ୟରୁ ୫ଜଣ ଓଡିଆ ଶ୍ରମିକ ଥିଲେ।

ତେବେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଖୁସି ଜାହିର କରିଛନ୍ତି। ସେ କହିଛନ୍ତି, ଏହା ଏକ ଭାବବିହ୍ବଳ କଲା ଭଳି ସମୟ। ଏହି ସମୟ ସମସ୍ତଙ୍କୁ ଭାବବିହ୍ବଳ କରିଛି। ଫଶିଥିବା ଶ୍ରମିକଙ୍କ ସାହସ ଓ ଧୌର୍ଯ୍ୟ ପ୍ରେରଣାଦାୟକ। ସାହସ ଓ ସଂକଳ୍ପର ଶକ୍ତି ଦେଇଛି ନୂତନ ଜୀବନ।
ଟନେଲରୁ ଶ୍ରମିକ ଉଦ୍ଧାର ଘଟଣାରେ ଖୁସି ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମୁର୍ମୁ ଉଦ୍ଧାରକାରୀ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି।

ସେହିପରି ଶ୍ରମିକଙ୍କ ରେସ୍କ୍ୟୁ ସଫଳତାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ଉଦ୍ଧାର ଶ୍ରମିକଙ୍କୁ ଶୁଭକାମନା ଓ ଶୁଭେଚ୍ଛା ଜଣାଇବା ସହ ଉଦ୍ଧାର କାର୍ଯ୍ୟରେ ସାମିଲ ସମସ୍ତ ଏଜେନ୍ସିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗଡକରୀ। ସେ କହିଛନ୍ତି, ଏହି ଘଟଣାରୁ ଆମକୁ ଅନେକ କିଛି ଶିଖିବାକୁ ମିଳିଛି। ଟନେଲର ସେଫ୍ଟି ଅଡିଟ୍‌ କରାଯିବ। ଆଗକୁ ଉନ୍ନତ ଜ୍ଞାନକୌଶଳର ଉପଯୋଗ କରାଯିବ।

ଶ୍ରମିକ ଉଦ୍ଧାର ହୋଇସାରିବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ। ସେ କହିଛନ୍ତି, ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ ଚାଲେଞ୍ଜିଂ ଓ କଠିନ ଥିଲା। ରେସ୍କ୍ୟୁ ଅପରେଶନରେ ସାମିଲ ସବୁ ଏଜେନ୍ସିଙ୍କୁ ଧନ୍ୟବାଦ। ନିର୍ମାଣଧୀନ ସବୁ ଟନେଲକୁ ସମୀକ୍ଷା କରାଯିବ।

Share