Categories: ଜାତୀୟ

ଭୂକମ୍ପ ଆସିବା ପୂର୍ବରୁ ମିଳିବ ସତର୍କ ସୂଚନା: ଉତ୍ତରାଖଣ୍ଡରେ ଆରମ୍ଭ ହେବ ପ୍ରଥମ ଓ୍ବାର୍ନିଂ ସିଷ୍ଟମ

ଡେରାଡୁନ,୪।୮: ଜାପାନ, ମେକ୍ସିକୋ ଓ ଆମେରିକା ପରେ ଏବେ ଭାରତରେ ପ୍ରଥମ ଭୂକମ୍ପ ପୂର୍ବ ସତର୍କତା ସୂଚନା ଉତ୍ତରାଖଣ୍ଡରେ ଆରମ୍ଭ ହେବାକୁ ଯାଉଛି। ରାଜ୍ୟରେ ବୁଧବାରଠାରୁ ଏହି ଓ୍ବାନିଂ ସିଷ୍ଟମ କାର୍ଯ୍ୟକ୍ଷମ ହେବ। ଭୂକମ୍ପ ଘଟିବା ମାତ୍ରେ ଯେଉଁ ଅଞ୍ଚଳରେ ଭୂକମ୍ପ ତରଙ୍ଗ ପହଞ୍ଚିବାର ସମ୍ଭାବନା ରହିଛି, ସେଠାରେ ଫୋନ ଦ୍ୱାରା ଆଲର୍ଟ ଜାରି କରାଯିବ। ଯାହା ଦ୍ୱାରା ଲୋକମାନଙ୍କୁ ନିରାପଦ ସ୍ଥାନକୁ ଯିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ। ଭୂକମ୍ପ ପୂର୍ବ ଚେତାବନୀ ପ୍ରଣାଳୀ ପ୍ରକୃତ ସମୟର ଭୂକମ୍ପ ଉପରେ ନଜର ରଖିଥାଏ। ଏହି ଓ୍ବାର୍ନିଂ ସିଷ୍ଟମକୁ ଉତ୍ତରପ୍ରଦେଶ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ୟୁଏସ୍‌ଡିଏମ୍‌ଏ) ଏବଂ ଭାରତୀୟ ଟେକ୍ନୋଲୋଜି-ରୁର୍‌କି ପ୍ରତିଷ୍ଠାନ ଦ୍ୱାରା ଏକ ନୂତନ ଆପ୍‌ ଯାହା ଉତ୍ତରାଖଣ୍ଡ ଭୂକମ୍ପ ଆଲର୍ଟ ଆପ୍‌ ନାମରେ ବିକଶିତ କରାଯାଇଛି। ଏହି ସିଷ୍ଟମରେ ଲାଗିଥିବା ସେନ୍‌ସରଗୁଡ଼ିକ ପ୍ରକୃତ ସମୟର ସିଗ୍‌ନାଲଗୁଡ଼ିକୁ ଆଇଆଇଟି-ରୁର୍‌କିରେ ଥିବା କଣ୍ଟ୍ରୋଲ ୟୁନିଟ୍‌କୁ ପ୍ରଦାନ କରିବ। ସେଠାରେ ଥିବା ଏକ ଆଲଗୋରିଦମ୍‌ ସିଗ୍‌ନାଲ ବିଶ୍ଳେଷଣ କରିବ। ଯେଉଁଥିରେ ତରଙ୍ଗ କେତେ ଦୂର ଯାତ୍ରା କରିବ ଏବଂ କେଉଁ ଅଞ୍ଚଳରେ ଏହା ଘଟିବାର ସମ୍ଭାବନା ରହିଛି ସେନେଇ ସୂଚନା ଦେବ। ଏନେଇ ସୂଚନା ଦେଇଛନ୍ତି ୟୁଏସ୍‌ଡିଏମ୍‌ଏର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପୀୟୁଷ ରୋତେଲା। ଆଇଆଇଟି-ରର୍‌କି ସହ ମିଳିତ ଭାବେ ଉତ୍ତରାଖଣ୍ଡ ଏହି ଭୂକମ୍ପ ଆଲର୍ଟ ଆପ୍‌ ବିକଶିତ କରିଛି ବୋଲି ପୀୟୁଷ କହିଛନ୍ତି। ସୂଚନା ମୁତାବକ ଯଦି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୫ କିମ୍ବା ତା’ଠାରୁ ଅଧିକ ରୁହେ ତେବେ ଏକ ଆଲର୍ଟ ସୃଷ୍ଟି ହୋଇ ଆପ୍‌କୁ ପଠାଯିବ ବୋଲି ସେ କହିଛନ୍ତି। ଏହି ଆପ୍‌ ଭୂକମ୍ପର ତୀବ୍ରତା, ଉତ୍ପତ୍ତି ଓ ତାଙ୍କ ପାଖରେ ଆଉ କେତେ ସମୟ ରହିଛି ସେନେଇ ଲୋକଙ୍କୁ ସଚେତନ କରିବ। ଥରେ ସେହି ସମୟ ସରିବା ପରେ, ସାହାଯ୍ୟ ଦରକାର ପାଇଁ ଲାଲ ବଟନ ଏବଂ ସୁରକ୍ଷିତ ଥିବା ନେଇ ସବୁଜ ବଟନ ପ୍ରଦର୍ଶିତ ହେବ। ଏହି ଆଧାରରେ ପ୍ରଥମେ ଉଦ୍ଧାର କାର୍ଯ୍ୟ ଯୋଜନା କରାଯାଇପାରିବ ବୋଲି ୟୁଏସ୍‌ଡିଏମ୍‌ଏର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସେହିପରି ଭୂକମ୍ପର କେନ୍ଦ୍ରଠାରୁ ଦୂରତା ଉପରେ ନିର୍ଭର କରି ଏହି ସିଷ୍ଟମ କିଛି ସେକେଣ୍ଡରୁ ଏକ ମିନିଟ୍‌ ସମୟ ଦେଇଥାଏ। ଉଦାହରଣ ସ୍ବରୂପ, ଏକ ପାହାଡ଼ିଆ ଜିଲାରେ ଭୂକମ୍ପ ହେଲେ ଲୋକମାନେ ପ୍ରାୟ ୧୫ସେକେଣ୍ଡ ପାଇବେ ବୋଲି ଆଇଆଇଟି-ରୁର୍‌କିର ପ୍ରଫେସର କମଲ କହିଛନ୍ତି। ବିଶେଷକରି ଘଞ୍ଚ ଜନବହୁଳ ସହରାଞ୍ଚଳରେ ସାଉଣ୍ଡ ଆଲର୍ଟ ପାଇଁ ସରକାର ସାଇରନ୍‌ର ମଧ୍ୟ ବ୍ୟବସ୍ଥା କରିଛନ୍ତି।

Share