ତାସକେଣ୍ଟ,୨୮।୧୨: ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀର କଫ ଶିରପ ପିଇ ଉଜବେକିସ୍ତାନରେ ୧୮ଜଣ ଶିଶୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଉଜବେକିସ୍ତାନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦାବି କରିଛି, ଏକ ଭାରତୀୟ ଔଷଧ କମ୍ପାନୀ ଦ୍ୱାରା ନିର୍ମିତ କାଶ ଶିରପ ଖାଇବା ପରେ ୧୮ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି।
ଫାର୍ମାସ୍ୟୁଟିକାଲ କମ୍ପାନୀ ମାରିଅନ ବାୟୋଟେକ ଦ୍ୱାରା ନିର୍ମିତ ଡକ-୧ ମ୍ୟାକ୍ସ ଶିରପ ଖାଇବା ପରେ ପିଲାମାନେ ମୃତ୍ୟୁବରଣ କରିଛନ୍ତି। ୨୦୧୨ରେ ମାରିଅନ ବାୟୋଟେକ ଉଜବେକିସ୍ତାନ ବଜାରରେ ପ୍ରବେଶ କରିଥିଲା। ସୂଚନାନୁସାରେ, ଏହି କମ୍ପାନୀ ଦ୍ୱାରା ନିର୍ମିତ ଡକ-୧ ମ୍ୟାକ୍ସ ଶିରପ ବର୍ତ୍ତମାନ ଭାରତୀୟ ବଜାରରେ ବିକ୍ରି ହେଉନାହିଁ।
ଏହାପୂର୍ବରୁ ଅକ୍ଟୋବରରେ ଆଫ୍ରିକୀୟ ଦେଶ ଗାମ୍ବିଆରେ ଭାରତୀୟ ଶିରପ ଖାଇ ୬୦ରୁ ଅଧିକ ଶିଶୁଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିଲା। ଏହା ପରେ କେନ୍ଦ୍ର ସରକାର ଏହି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ଭାରତୀୟ କମ୍ପାନୀର କଫ ଶିରପରୁ ପିଲାମାନଙ୍କର ମୃତ୍ୟୁ ସମ୍ପର୍କରେ କୌଣସି ସରକାରୀ ନିଶ୍ଚିତତା ନାହିଁ।