Categories: ମେଟ୍ରୋ

ଟିକା ନେଲେ ହୋମ୍‌ ଡେଲିଭରି ବୟ, ରେଷ୍ଟୁରାଣ୍ଟ କର୍ମଚାରୀ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବିଭିନ୍ନ ବର୍ଗର ଲୋକଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା କରି ଟିକାକରଣକୁ ତ୍ୱରାନ୍ବିତ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ହୋମ୍‌ ଡେଲିଭରି ବୟଙ୍କ ଟିକାକରଣ ଆରମ୍ଭ କରାଯାଇଛି। ଗଜପତି ନଗର ସ୍ଥିତ ସପ୍ତମ ବାଟାଲିୟନ ୟୁପିଏମ୍‌ଇ ସ୍କୁଲରେ ସ୍ବିଗି ଏବଂ ଜମାଟୋର ଡେଲିଭରି ବୟଙ୍କୁ ଟିକାକରଣ କରାଯାଇଥିଲା। ପୂର୍ବାହ୍ନ ସାଢେ ୧୦ଟା ଏହି ଟିକାକରଣ ଆରମ୍ଭ ହୋଇଥିଲା।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଚାଲିଥିବା ବେଳେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଛାଡି ଅନ୍ୟ ସମସ୍ତ ଦୋକାନ ବନ୍ଦ ରହୁଛି। ତେବେ ଏହି ସମୟରେ ଲୋକମାନଙ୍କ ମନ ପସନ୍ଦର ଖାଦ୍ୟ ତଥା ଅନ୍ୟାନ୍ୟ ସାମଗ୍ରୀ ଘରେ ପହଞ୍ଚାଇବାର ଦାୟିତ୍ୱ ଏହି ଡେଲିଭରି ବୟମାନେ ନେଉଛନ୍ତି। ଘର ଘର ବୁଲି ସେମାନେ ଖାଦ୍ୟ ପହଞ୍ଚାଉଥିବା ବେଳେ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି। ସେହିପରି ଓଡ଼ିଶା ରେଷ୍ଟୁରାଣ୍ଟ ଆସୋସିଏଶନ୍‌ର କର୍ମଚାରୀମାନଙ୍କ ପାଇଁ ମଧ୍ୟ ଟିକାକରଣ ଆରମ୍ଭ ହୋଇଛି। ନୟାପଲ୍ଲୀର ଆଇଆର୍‌ସି ଭିଲେଜ୍‌ ସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ପୂର୍ବାହ୍ନ ସାଢେ ୧୧ଟାରୁ ଟିକା ଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

Share