ଟିକା ନେଇଥିବା ଲୋକ ମଧ୍ୟ ଏକ୍ସବିବି.୧.୫ ଭାରିଆଣ୍ଟରେ ଆକ୍ରାନ୍ତ ହେବା ଆଶଙ୍କା: ଆମେରିକା ରିପୋର୍ଟ…

ଓ୍ବାଶିଂଟନ,୭।୧ : ଆମେରିକାର ବିଶେଷଜ୍ଞମାନେ କହିଛନ୍ତି ଯେ କରୋନାର ଏକ୍ସବିବି.୧.୫ ଭାରିଆଣ୍ଟ ଅଧିକ ସଂକ୍ରାମକ। ଏହା ଏତେ ସଂକ୍ରାମକ ଯେ କରୋନାଭାଇରସ ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି। ପୂର୍ବରୁ ସଂକ୍ରମିତ ହୋଇଥିବା ୮୦ ଆମେରିକୀୟ ପୁନର୍ବାର ସଂକ୍ରମିତ ହେବାର ଆଶଙ୍କା ରହିଛି।

ସାଉଥ କାଲିଫର୍ନିଆ ୟୁନିଭରସିଟିର ଭାଇରୋଲୋଜିଷ୍ଟ ପାଲା କାନନ ୟୁଏସ ଟୁଡେକୁ କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ସମସ୍ତେ ସଂକ୍ରମଣ ହେବାର ଆଶଙ୍କା ରହିଛି। ସେହିପରି ଟିକା ନେଇଥିବା ଲୋକେ ମଧ୍ୟ ଏକ୍ସବିବି.୧.୫ ଭାରିଆଣ୍ଟ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଏହା ଏକ ଅଦ୍ଭୁତ ସଂକ୍ରାମକ ଭାରିଆଣ୍ଟ। ଏହି ଭାରିଆଣ୍ଟର ଉଚ୍ଚସ୍ତରର ସଂକ୍ରମଣ ସତ୍ତ୍ୱେ ମୃତ୍ୟୁ ସଂଖ୍ୟା ଅପେକ୍ଷାକୃତ କମ ରହିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ମାସ୍କ ପିନ୍ଧି ନ ଥିବା ଲୋକମାନେ ପ୍ରଥମେ ଏହାର କବଳରେ ଆସୁଛନ୍ତି।

ଡିସେମ୍ବର ମାସରେ ସର୍ବଶେଷ ଭାରିଆଣ୍ଟ ଏକ୍ସବିବି.୧.୫ ଭାରିଆଣ୍ଟ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରଗୁଡ଼ିକର ତଥ୍ୟ ଅନୁଯାୟୀ, ଡିସେମ୍ବର ପ୍ରଥମ ସପ୍ତାହରେ ସମଗ୍ର ଆମେରିକାରେ
ଏହା କେବଳ ଏକ ପ୍ରତିଶତ ଥିଲା, ଯାହା ୩୧ ଡିସେମ୍ବର ୨୦୨୨ ସୁଦ୍ଧା ୪୦ ପ୍ର୍‌ତଶତକୁ ବୃଦ୍ଧି ପାଇଥିଲା। ନ୍ୟୁୟର୍କ ଏବଂ ନ୍ୟୁ ଇଂଲଣ୍ଡରେ ଦ୍ରୁତ ଗତିରେ ବଢୁଥିବା ସଂକ୍ରମଣ ପଛରେ ଏହି ଭାରିଆଣ୍ଟ ରହିଛି। ଏହାର ଲକ୍ଷଣ ସାଧାରଣତଃ ପ୍ରାୟ ପାଞ୍ଚରୁ ସାତ ଦିନ ରହିଥାଏ ଏବଂ ଅନ୍ୟାନ୍ୟ ସମସ୍ୟା ମଧ୍ୟରେ ଜ୍ୱର, ଗଳା ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା, ଥକାପଣ, ବାନ୍ତି, କାଶ ଏବଂ ସାଇନସ ଲକ୍ଷଣ ପ୍ରକାଶ ପାଇଥାଏ ବୋଲି ସେ କହିଛନ୍ତି।

Share