ଆମେରିକାରେ ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ଘଣ୍ଟାରେ ୬୦ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ

ଓ୍ବାଶିଂଟନ୍‌,୨୮।୭: ଆମେରିକାରେ କରୋନା ଭାଇରସ୍‌ ସଂକ୍ରମଣ ବିପଦ ପୁଣି ଥରେ ଘନେଇବାରେ ଲାଗିଛି। କରୋନାର ଡେଲ୍ଟା ଭାରିଆଣ୍ଟ ତୀବ୍ରଗତିରେ ବ୍ୟାପୁଥିବା ବେଳେ ବହୁ ସଂଖ୍ୟକ ଲୋକ ଆକ୍ରାନ୍ତ ହେଉଛନ୍ତି। ଆମେରିକାରେ ଗୋଟିଏ ଦିନରେ ୬୦ହଜାରରୁ ଊର୍ଦ୍ଧ୍ୱ ନୂଆ ମାମଲା ଚିହ୍ନଟ ହୋଇଛି। ଏହାପରେ ଆମେରିକାର ବିପଦପୂର୍ଣ୍ଣ ଅଞ୍ଚଳରେ ଟିକା ଦିଆଯାଇଥିବା ଲୋକଙ୍କ ପାଇଁ ପୁନର୍ବାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଅନ୍ୟପଟେ ଟିକା ପ୍ରଭାବଶାଳୀ କିନ୍ତୁ ଡେଲ୍ଟା ଭାରିଆଣ୍ଟ ଯୋଗୁ ସଂକ୍ରମଣ ଆଶଙ୍କା ବଢ଼ିଛି ବୋଲି ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ୍‌(ସିଡିସି)ର ନିର୍ଦ୍ଦେଶକ ରୋଚେଲ ଭାଲେନସ୍କି କହିଛନ୍ତି। ଏଭଳି ପରିସ୍ଥିତିରେ ନିଜକୁ ଏବଂ ସମାଜକୁ ରକ୍ଷା କରିବା ଲାଗି ମାସ୍କ ପିନ୍ଧିବା ଆବଶ୍ୟକ। ଅତ୍ୟଧିକ ସଂକ୍ରମଣ ଅଞ୍ଚଳରେ କରୋନା ଟିକାର ୨ଟି ଡୋଜ ନେବା ସହ ମାସ୍କ ପିନ୍ଧିବା ଜରୁରୀ ବୋଲି ସିଡିସି ପକ୍ଷରୁ କୁହାଯାଇଛି। ରିପୋର୍ଟ ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ଆମେରିକାରେ ୬୦ହଜାରରୁ ଅଧିକ କରୋନା ମାମଲା ରୁଜୁ ହୋଇଛି। ଗୋଟିଏ ଦିନରେ ଏତେ ମାତ୍ରାରେ ଆକ୍ରାନ୍ତ ଚିହ୍ନଟ ହେବା ବିଶେଷଜ୍ଞ ଏବଂ ଡାକ୍ତରଙ୍କ ଚିନ୍ତା ବଢ଼ାଇଦେଇଛି। ଏଥିସହିତ ରାଷ୍ଟ୍ରପତି ବାଇଡେନ ମଧ୍ୟ କରୋନା ମାମଲା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, ଦେଶରେ ଟିକାକରଣକୁ ଆହୁରି ତ୍ୱରାନ୍ବିତ କରାଯିବ। ସିଡିସି ତଥ୍ୟ ଅନୁଯାୟୀ, ଦକ୍ଷିଣ ଆମେରିକାରେ କରୋନାର ଡେଲ୍ଟା ଭାରିଆଣ୍ଟର ପ୍ରଭାବ ଅଧିକ ରହିଛି। ପ୍ରତିଦିନ ଏଠାରେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପ୍ରାୟ ୮୫ଟି ଦେଶରେ ଏପର୍ଯ୍ୟନ୍ତ କରୋନାର ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହାକୁ ବର୍ତ୍ତମାନର ସବୁଠାରୁ ସଂକ୍ରାମକ ଭାରିଆଣ୍ଟ ବୋଲି ବିବେଚନା କରିଛି। ଯାହା ତୀବ୍ରଗତିରେ ଟିକାକରଣ କରିଥିବା ଲୋକଙ୍କୁ ସଂକ୍ରମିତ କରୁଛି।

Share