ବୈଜ୍ଞାନିକଙ୍କ ମଞ୍ଜୁରୀ ପରେ ଟିକାକରଣ

ନୂଆଦିଲ୍ଲୀ, ୫।୧୨(ପି.ଟି.): ଦେଶର କରୋନା ସ୍ଥିତିକୁ ନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। କିଛି ସପ୍ତାହ ମଧ୍ୟରେ କୋଭିଡ୍‌ ଟିକା ପ୍ରସ୍ତୁତ ହେବ। ତେବେ ବୈଜ୍ଞାନିକମାନଙ୍କ ଅନୁମୋଦନ ପରେ ଦେଶରେ ଟିକାକରଣ ଆରମ୍ଭ ହେବ ବୋଲି ଊକ୍ତ ଭର୍ଚୁଆଲ ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ। କରୋନା ରୋଗୀଙ୍କ ଚିକିତ୍ସାରେ ସାମିଲ ଥିବା ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ପ୍ରଥମେ ଏହି ଟିକା ଦିଆଯିବ। ଏଥିସହିତ ପୋଲିସ, ମ୍ୟୁନିସିପାଲ କର୍ମଚାରୀ ଆଦି ଫ୍ରଣ୍ଟଲାଇନ୍‌ ଓ୍ବାର୍କର ଏବଂ ଗୁରୁତର ସ୍ଥିତିରେ ଥିବା ବୃଦ୍ଧ ବ୍ୟକ୍ତିଙ୍କୁ ଟିକା ପ୍ରଦାନରେ ପ୍ରାଥମିକତା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଦେଶରେ କରୋନା ସଂକ୍ରମଣ ପରେ ଏହା ସରକାରଙ୍କର ଦ୍ୱିତୀୟ ସର୍ବଦଳୀୟ ବୈଠକ। ଭାରତକୁ ମିଳିବାକୁ ଥିବା ୮ଟି ଟିକାର ବିଭିନ୍ନ ପର୍ଯ୍ୟାୟ ପରୀକ୍ଷା ଚାଲିଛି। ଭାରତରେ ପ୍ରସ୍ତୁତ ହେବାକୁ ଥିବା ୩ ଟିକା ମଧ୍ୟ ବିଭିନ୍ନ ପର୍ଯ୍ୟାୟ ପରୀକ୍ଷାରେ ରହିଛି। ଟିକା ପାଇଁ ସାରା ଦେଶ ପ୍ରତୀକ୍ଷା କରିଥିବାବେଳେ କୌଣସି ଅସାବଧାନତା ବହୁ କ୍ଷତି ଘଟାଇପାରେ। ତେଣୁ ମହାମାରୀକୁ ରୋକିବା ପାଇଁ ଜନସଚେତନତା ସୃଷ୍ଟି କରିବା ସହ ଲୋକଙ୍କୁ ଗୁଜବରୁ ରକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ଦଳଗୁଡ଼ିକୁ ଅନୁରୋଧ କରିଥିଲେ। ବୈଠକରେ କଂଗ୍ରେସର ଅଧୀର ରଞ୍ଜନ ଚୌଧୁରୀ, ଗୁଲାମ ନବୀ ଆଜାଦ, ଏନ୍‌ସିପିର ଶରଦ ପାଓ୍ବାର, ଟିଏମ୍‌ସିର ସୁଦୀପ ବନ୍ଦୋପାଧ୍ୟାୟ, ସମାଜବାଦୀ ପାର୍ଟିର ରାମଗୋପାଳ ଯାଦବ ପ୍ରମୁଖ ଥିଲେ। ଏହା ବ୍ୟତୀତ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଅମିତ୍‌ ଶାହା, ପ୍ରହଲ୍ଲାଦ ଜୋଷୀ ଏବଂ ହର୍ଷବର୍ଦ୍ଧନ ମଧ୍ୟ ବୈଠକରେ ଯୋଗଦେଇଥିଲେ। ଓଡ଼ିଶାରୁ ବିଜେଡି ଏମ୍‌ପି ଚନ୍ଦ୍ରଶେଖର ସାହୁ ସର୍ବଦଳୀୟ ବୈଠକରେ ଯୋଗଦେଇ କେନ୍ଦ୍ର ନିକଟରେ ଦୁଇଟି ଦାବି ରଖିଥିଲେ। ଟିକାକରଣ କାର୍ଯ୍ୟକ୍ରମରେ ଓଡ଼ିଶାକୁ ପ୍ରାଥମିକତା ଦେବା ସହ ତୃଣମୂଳ ସ୍ତରୀୟ ଡାଟାବେସ୍‌ ପ୍ରସ୍ତୁତ କରିବାକୁ ସେ କହିଥିଲେ।

Share